ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା | ଅନଲାଇନରେ ପାଠପଢା ହେଉଥିଲା | ବର୍ତ୍ତମାନ ସଂକ୍ରମଣ ହ୍ରାସପାଇଛି | ଶିକ୍ଷାବିଭାଗ ଅଫ୍ଲାଇନ୍ ରେ ପରୀକ୍ଷା ଦେବାକୁ କହିଥିବା ବେଳେ ଛାତ୍ରଛାତ୍ରୀ ଏହାକୁ ବିରୋଧକରି ରାଜରାସ୍ତାକୁ ଓଲ୍ଲାଇଥିଲେ | ଏଭଳି ସ୍ଥିତିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ଏପ୍ରିଲରେ ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି। କେନ୍ଦ୍ରୀୟ ପରିଷଦର ପରୀକ୍ଷା ଏପ୍ରିଲ ୨୬ରୁ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସମାନ ଢଙ୍ଗ ଓ ସମୟରେ ସିଏଚ୍ଏସ୍ଇ ପକ୍ଷରୁ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ଅନ୍ୟପକ୍ଷରେ ଗତମାସ ୧୪ରୁ ପରିଷଦ ପକ୍ଷରୁ ବିଭିନ୍ନ ବର୍ଗର ମତ ଲୋଡ଼ିବା ଆରମ୍ଭ ହୋଇଥିବାବେଳେ ଏହି ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ ବର୍ଗର ମିଳିଥିବା ମତକୁ ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ପରିଷଦ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ,ଶକ୍ଷାବିତ୍ଙ୍କ ସମେତ ବିଭିନ୍ନ ବର୍ଗର ମତ ନିଆଯାଇଛି। ପ୍ରାୟ ୯୬ %ରୁ ଉର୍ଦ୍ଧ୍ବ ଲୋକ ପରୀକ୍ଷା ସପକ୍ଷରେ ମତ ଦେଇଛନ୍ତି। ପାରମ୍ପରିକ ପଦ୍ଧତି(ଅଫଲାଇନ୍)ରେ ପରୀକ୍ଷା ପାଇଁ ମତ ଦେଇଥିବାବେଳେ ପାଠପଢା ପାଇଁ ସମୟ ପ୍ରଦାନ,ପରୀକ୍ଷା ତାରିଖ ଏବଂ ସମୟ ମଧ୍ୟରେ ବ୍ୟବଧାନ ରଖିବାକୁ ଛାତ୍ରଛାତ୍ରୀ,ଅଭିଭାବକ ମତପୋଷଣ କରିଛନ୍ତି। ପରିଷଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିବା ରିପୋର୍ଟ ପଠାଇବ। ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ଅନୁମତି ଦିଆଯିବା ପରେ ପରୀକ୍ଷା ତାରିଖ ଓ ପରୀକ୍ଷା କେନ୍ଦ୍ର ଘୋଷଣା କରାଯିବ। ସେହିପରି ଏଥର ପରୀକ୍ଷା ପ୍ରଶ୍ନପତ୍ର ସମ୍ବନ୍ଧରେ ମଧ୍ୟ ନିଷ୍ପତ୍ତି ନେଇଛି ପରିଷଦ। ୨୦୨୨ରେ ହେବାକୁ ଥିବା +୨ ପରୀକ୍ଷାରେ ବିନା ପ୍ରାକ୍ଟିକାଲ(ପ୍ରାୟୋଗିକ) ବିଷୟରେ ଶହେ ମାର୍କର ପରୀକ୍ଷା ହେବ। ୫୦ ମାର୍କର ଏକ ମାର୍କ ସମ୍ବଳିତ ସଂକ୍ଷିପ୍ତ ଉତ୍ତରମୂଳକ ମଲ୍ଟିପୁଲ ଚଏସ୍(ଗୋଟିଏ ପ୍ରଶ୍ନର ଏକାଧିକ ଉତ୍ତର ବାଛିବା) ପ୍ରଶ୍ନ ଆସିବ। ଅବଶିଷ୍ଟ ୫୦ ମାର୍କ ମଧ୍ୟରୁ ୨୦ ମାର୍କ ପ୍ରଶ୍ନ ୫ ମାର୍କ ସମ୍ବଳିତ ୪ଟି ପ୍ରଶ୍ନ ଆସିବ। ସେହିପରି ୨ ଓ ୩ ମାର୍କ ସମ୍ବଳିତ ୩୦ ମାର୍କର ପ୍ରଶ୍ନ ଆସିବ। ପ୍ରାକ୍ଟିକାଲ(ପ୍ରାୟୋଗିକ) ବିଷୟର ମୋଟ ୭୦ ମାର୍କର ପରୀକ୍ଷା ହେବ। ଅବଶିଷ୍ଟ ୩୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ହେବ। ମୂଲ୍ୟାୟନରେ ଚଳିତ ବର୍ଷ କୌଣସି ପରିବର୍ତ୍ତନ ହେବନି ବୋଲି ଜଣାପଡ଼ିଛି।
More Stories
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..