ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ ଦିନେଶ କୁମାର ରାଉତଙ୍କୁ ରାସ୍ତାରୁ ଉଠାଇ ନେଲା ଭିଜିଲାନ୍ସ। ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଓ ବୋଲେରୋ ଜବତ କରିଛି। ଏଥିସହ ତାଙ୍କ ଘର ଓ ଦୋକାନରେ ଭିଜିଲାନ୍ସ ଚଢ଼ଉ ଚଳାଇଛି। କଳାହାଣ୍ଡି ଜିଲ୍ଲା ବିଜେଡି ସମ୍ପାଦକ ତଥା ଗୋଲାମୁଣ୍ଡା ବ୍ଲକ୍ ବୃନ୍ଦାବାହାଲ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଦିନେଶ କୁମାର ରାଉତ। ସେ ହେଉଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ। ଆଜି ସେ ଗୋଲାମୁଣ୍ଡାରୁ ନିଜର ବୋଲେରୋ ନଂ.(OD-08-C-5335)ରେ ନିଜ ଘରକୁ ଆସୁଥିଲେ। ତେବେ ଖଲିଆକାନି ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲା ଜୟପୁର ଭିଜିଲାନ୍ସ ବିଭାଗର ୧୦ ଜଣିଆ ଟିମ୍। ପରେ ତାଙ୍କ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ସେହି ସମୟରେ ଗାଡ଼ିରୁ ୫ ଲକ୍ଷ ୪ ହଜାର ଟଙ୍କା ମିଳିଥିଲା। ଭିଜିଲାନ୍ସ ଟିମ୍ ଦିନେଶଙ୍କୁ ଟଙ୍କା ସମ୍ପର୍କରେ ପଚାରିଥିଲା। ହେଲେ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିଲା। ସେଠାରେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା। ପରେ ଭିଜିଲାନ୍ସ ଟିମ୍ ଦିନେଶଙ୍କ ପୈତୃକ ଘର ଓ ଦୋକାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ଟିମ୍ ଦିନେଶଙ୍କ ବୋଲେରୋକୁ ଜବତ କରି ତଦନ୍ତ ଚଳାଇଛି। ସୂଚନାରୁ ପ୍ରକାଶ, ଦିନେଶ ବିଜେଡି ଜିଲ୍ଲା ସମ୍ପାଦକ ଥିବାରୁ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅତି ଘନିଷ୍ଠ ସହଯୋଗୀ। ପୂର୍ବତନ ବିଜେଡି ନେତା ଭି.କେ ପାଣ୍ଡିଆନ୍ଙ୍କ ସହିତ ତାଙ୍କର ଫଟୋ ଏବେ ଭାଇରାଲ୍ ହେଉଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….