Report Card Odisha

| Daily Odia News

ଟିକାର ପୃଥକ ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣକୁ ନେଇ ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି ହୋଇଛି। ଦେଶରେ ସଂକ୍ରମଣ ମୁକାବିଲା ପାଇଁ ଜାତୀୟ ଯୋଜନାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି। ଏହାକୁ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ମାଗିଥିଲେ | ଏହାକୁ ଅନୁଧ୍ୟାନ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହିତ ଟିକାର ପୃଥକ ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ବର୍ତ୍ତମାନର ସ୍ଥିତି ଜାତୀୟ ଜରୁରୀ ପରିସ୍ଥିତି ନୁହେଁ, ତେବେ ଆଉ କ’ଣ ବୋଲି ମଧ୍ୟ ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଥିଲେ। ଟିକା ମୂଲ୍ୟ, ଟିକା ଉପଲବ୍ଧତା, ଅମ୍ଳଜାନ ସମେତ କେତେକ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ। ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ୩୦ ଏପ୍ରିଲ ଶୁକ୍ରବାର ଦ୍ୱିପ୍ରହରରେ ଏହାର ଶୁଣାଣି ହେବ। ଶୁକ୍ରବାର ସୁଦ୍ଧା ସମସ୍ତ ପ୍ରସଙ୍ଗର ଜବାବ କେନ୍ଦ୍ର ସରକାର ଦେଇପାରିବ ବୋଲି କହିଛି। ଅଦାଲତ ଅମ୍ଳଜାନ ସମେତ ମେଡିକାଲ ଆବଶ୍ୟକତା ଉପରେ କେନ୍ଦ୍ରକୁ ତଥ୍ୟ ମାଗିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଣ ଉପରେ ଚିଠି ପଠାଯାଇଥିବା ନେଇ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଶୁଣାଣିର ଅର୍ଥ ହାଇକୋର୍ଟରେ ଶୁଣାଣିକୁ ବନ୍ଦ କରିବା ନୁହେଁ। ହାଇକୋର୍ଟ ସ୍ଥାନୀୟ ପରିସ୍ଥିତିକୁ ଭଲ ଭାବେ ବୁଝିପାରିବେ। ଜାତୀୟ ପ୍ରସଙ୍ଗରେ ଆମର ହସ୍ତକ୍ଷେପ ଜରୁରୀ ଥିଲା। ଆମେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବୟ ରଖିବାର କାର୍ଯ୍ୟ କରିବୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଅଦାଲତରେ ସଲିସିଟର ଜେନେରାଲ କହିଥିଲେ ଯେ, କରୋନାର ପ୍ରଥମ ତରଙ୍ଗ ୨୦୧୯-୨୦ରେ ଆସିଥିଲା। କିନ୍ତୁ କରୋନାର ଦ୍ୱିତୀୟ ଲହର କେବେ ଆସିବ ତାହା ଅନୁମାନ କରାଯାଇ ନ ଥିଲା। ସରକାର ଏହାକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜାତୀୟ ସ୍ତରରେ ସରକାର ପରିସ୍ଥିତିର ପରିଚାଳନା କରୁଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ବୈଠକ କରୁଛନ୍ତି। ତେବେ ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ, ସେ କେନ୍ଦ୍ର ଦ୍ବାରା ଦାଖଲ କରାଯାଇଥିବା ଯୋଜନା ଦେଖି ନାହାନ୍ତି। ରାଜ୍ୟଗୁଡ଼ିକୁ ବି ଏହି ପ୍ଲାନରୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ଆମେ ଏହାକୁ ଦେଖିବୁ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଅମ୍ଳଜାନ ଯୋଗାଣ ଏବଂ ଉପଲବ୍ଧତାର ତଥ୍ୟ ମାଗିଛନ୍ତି। ଏହା ସହିତ ମେଡିକାଲ ସୁବିଧା, ଜରୁରୀ ଔଷଧକୁ ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ତାହାକୁ ନେଇ ତଥ୍ୟ ମାଗିଛନ୍ତି।

 

Breaking News