Report Card Odisha

| Daily Odia News

ଆଜିଠୁ ଆରମ୍ଭ ହେଉଛି ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସକୁ ସଫଳତାର ସହ ଆୟୋଜନ କରିବା ପରେ ମଙ୍ଗଳବାରରୁ ଜାପାନ ରାଜଧାନୀ ସହର ଟୋକିଓ ପାରାଲିମ୍ପିକ୍‌ସ ଆୟୋଜନ କରିବାକୁ ଯାଉଛି। ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରା ଅଲିମ୍ପିକ୍ସ-୨୦୨୦ । ଏହା ପାରାଲିମ୍ପିକ୍‌ସର ୧୬ଶ ସଂସ୍କରଣ। କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଏବେ ବଢ଼ି ଚାଲିଥିବା ବେଳେ ଏହି କ୍ରୀଡ଼ାର ଆୟୋଜନ ନିଶ୍ଚୟ ଏକ ଆହ୍ବାନ। ମଙ୍ଗଳବାରରୁ କ୍ରୀଡ଼ା ଆୟୋଜନ ହେଉଥିବା ବେଳେ ସନ୍ଧ୍ୟାରେ ଏକ ସଂକ୍ଷିପ୍ତ ଉଦ୍‌ଘାଟନୀ ଉତ୍ସବ ସହ କ୍ରୀଡ଼ାର ଶୁଭାରମ୍ଭ ହେବ। ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍‌ ୪୫୩୭ ଜଣ କ୍ରୀଡ଼ାବିତ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ମୋଟ୍‌ ୨୨ଟି କ୍ରୀଡ଼ାରେ ୫୩୯ଟି ଇଭେଣ୍ଟ ଆୟୋଜିତ ହେବ | ଉଦ୍‌ଘାଟନୀ ଉତ୍ସବରେ ମାରିଆପ୍ପାନ ଥଙ୍ଗାଭେଲୁ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ । ତାଙ୍କ ସହ ମୋଟ୍‌ ୧୧ ଜଣ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥର ମୋଟ୍‌ ୫୪ ଜଣ ଭାରତୀୟ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି।

ବ୍ୟାଡମିଣ୍ଟନ ଏହି ପାରାଲିମ୍ପିକ୍ସରେ ପଦାର୍ପଣ କରିବ । ଏପଟେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରସ୍ତୁତ କରି ପାରାଲିମ୍ପିକ୍‌ସ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ |

Breaking News