Report Card Odisha

| Daily Odia News

ପଂଚାୟତ ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେଉଛି । ଏଥିଲାଗି ରାଜ୍ୟର ୧୮୬ଟି ଜିଲା ପରିଷଦ ଆସନରେ ୭୪୭ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ଆସନ୍ତାକାଲି ଏହି ଜିଲ୍ଲା ପରିଷଦଙ୍କ ସହିତ ୩୦ଟି ଜିଲାର ୬୮ଟି ବ୍ଲକର ୧୫୧୪ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ୨୦ହଜାର ୪୩୬ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଦିନ ଗୋଟାଏ ମଧ୍ୟରେ ୬୨.୧୦ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସମୁଦାୟ ବୁଥ୍‌ ମଧ୍ୟରୁ ୩ହଜାର ୬୫ ବୁଥ୍ ଉତ୍ତେଜନା ପ୍ରବଣ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଉକ୍ତ ବୁଥଗୁଡିକରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ତାକୁ ନେଇ ଆୟୋଗ ଗୁରୁତ୍ବ ଦେଇଛି। ମତଦାନ ବେଳେ ଯେଭଳି ସବୁ ଦଳ ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ମାନି କାର୍ଯ୍ୟ କରିବେ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ ସେ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ନିର୍ବାଚନ ସମୟରେ ଯଦି ଭୋଟର ପରିଚୟପତ୍ର ନ ଥିବ ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେ କୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ ସାବ୍ୟସ୍ତ କରିପାରିବେ। ପାନ କାର୍ଡ , ଆଧାର କାର୍ଡ, ପାସପୋର୍ଟ ଆଦି ଦେଖାଇ ଜଣେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। କରୋନା କଟକଣା ଓ ଗହଳି ଏଡ଼ାଇବା ପାଇଁ ଗୋଟିଏ ଲେଖାଏଁ ବୁଥରେ ୩୦୦ରୁ ୫୦୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାର ବନ୍ଦୋବସ୍ତ କରାଯାଇଛି। ଯେଉଁମାନେ କରୋନା ସଂକ୍ରମିତ ଥିବେ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ ମାଧ୍ୟମରେ ନିଜର ମତାଧିକାର ଦେଇପାରିବେ। ସମସ୍ତେ ଭୋଟ ଦେବା ପରେ ହିଁ କରୋନା ସଂକ୍ରମିତ ଭୋଟରମାନେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ୯୧ହଜାର ୯୧୩ଟି ବୁଥରେ ୨.୭୯କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବାବେଳେ ସନ୍ଧ୍ୟା ସୁଦ୍ଧା ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଓ ଡାକବାଜି ଯନ୍ତ୍ର ବନ୍ଦ କରାଯିବାକୁ ଆୟୋଗଙ୍କ ନିର୍ଦେଶ ରହିଛି। ଆଜି ମତଦାନ କିଭଳି ଶୃଙ୍ଖଳିତ ହେବ ସେ ନେଇ ଆୟୋଗ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁଯାୟୀ ନିର୍ବାଚନ କଟକଣାକୁ ଜୋରଦାର କରାଯିବ।
କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଓଡ଼ିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ଚରଣରେ ଭୋଟ ଗ୍ରହଣ ହେବ। କୋଟିଆବାସୀ ବାଛିବେ ଗାଁ ନେତା। ଜିଲାପରିଷଦ, ସରପଞ୍ଚ ଆସନ ପାଇଁ ପ୍ରତିନ୍ଦ୍ବନ୍ଦ୍ବିତା ହେଉଥିବାବେଳେ ଗୋଟିଏ ୱାର୍ଡରେ ପ୍ରତିଦ୍ବନ୍ଦ୍ବିତା ହେବ। ତେବେ ସମିତିସଭ୍ୟ ପ୍ରାର୍ଥୀ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ୧୩ଟି ବୁଥରେ ମୋଟ ୫ହଜାର ୧୯୭ଜଣ ଭୋଟର ମତଦାନ କରି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଜିଲା ପ୍ରଶାସନ, ପୁଲିସ ବିଭାଗ ଓ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥିପାଇଁ ପୋଲିଂ ଦଳ ପହଞ୍ଚିସାରିଥିବାବେଳେ ପାହାଡ଼ି ଇଲାକାରେ ପୁଲିସ ଘନଘନ ପଇଁତରା ମାରୁଛି। ପରିସ୍ଥିତିକୁ ଦେଖି ୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଓଡ଼ିଶା ଆନ୍ଧ୍ର ସୀମାନ୍ତ ଉପରେ ପୋଲିସ କଡ଼ା ନଜର ରଖିଛି। ଅନ୍ୟପକ୍ଷରେ ଉତ୍ତେଜନାପ୍ରବଣ ବୁଥ ଓ ସମ୍ବେଦନଶୀଳ ବୁଥ ସମ୍ମୁଖରେ ପୁଲିସ ପଇଁତରା ମାରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜିଲାପରିଷଦ ଜୋନ ୧ରେ ସର୍ବଦଳୀୟ ପ୍ରାର୍ଥୀ ବନାମ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ ସରପଞ୍ଚ ଆସନରେ ୭ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ଯୋଗୁଁ ଚଳିତ ନିର୍ବାଚନ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ବ୍ଲକ ସଦର ମହକୁମାରୁ ପୋଲିଂ ଦଳ ୧୩ଟି ବୁଥକୁ‌ ବାଲଟ ପେପର ଓ ବାକ୍ସ ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଛନ୍ତି। ସମିତିସଭ୍ୟ ପ୍ରାର୍ଥୀ ଅମ୍ବିକା ପାଙ୍ଗି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବାବେଳେ ସରପଞ୍ଚ ପଦ ପାଇଁ ୭ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଥୁରିଆ ଗ୍ରାମନିବାସୀ ମୋହନ ପାଙ୍ଗି ଓ ଦିଲ୍ଲୀପ ପାଙ୍ଗି, ଉପରବାରାବନ୍ଧ ଗ୍ରାମର ବିନୋଦ ପାଙ୍ଗି ଓ ମୁସୁରି ପାଙ୍ଗି, ଗଞ୍ଜେଇପଦର ନିବାସୀ ଲିଉ ଗେମେଲ, ତଳକାଣ୍ଟି ଗ୍ରାମନିବାସୀ ଲିଙ୍ଗରାଜ ଗେମେଲଙ୍କ ସମେତ ବର୍ତ୍ତମାନ ଦାୟିତ୍ବରେ ଥିବା (ପୂର୍ବତନ ସରପଞ୍ଚ) ବିଶ୍ବନାଥ ଖିଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ୧୩ ୱାର୍ଡ ବିଶିଷ୍ଟ ପଞ୍ଚାୟତରେ ୧୨ଟି ୱାର୍ଡରେ ଅପ୍ରତିଦ୍ବନ୍ଦୀ ଭାବେ ପ୍ରାର୍ଥୀ ନିର୍ବାଚିତ ହୋଇଥିବାବେଳେ ୧୦ନଂ ୱାର୍ଡ ପାଇଁ ଦୁଇଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଜିଲାପରିଷଦ ଜୋନ-୧ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଭାବେ ଥୁରିଆର ମମତା ଜାନୀଙ୍କ ସହ ସିପାଇପୁଟ ଗ୍ରାମନିବାସୀ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବା ଜଣାଯାଇଛି। ଗତକାଲି ଜିଲ୍ଲାପାଳ ଅବ୍ଦାଲ ଏମ.ଅଖତର ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତୁତିର ସମୀକ୍ଷା କରି ଫେରିଥିବାବେଳେ ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠୁପାଲ୍ଲି ସୁରକ୍ଷା ବ୍ୟବସ୍ଥା ତଦାରକ୍ଷ କରି ଫେରିଛନ୍ତି। ପୁଲିସ ଆଜି ସେଠାରେ ପଇଁତରା ମାରିଥିବାବେଳେ ଦୁଇଟି ସ୍ଥାନ ଫାଟୁସିନେରୀ, ନେରେଡ଼ିୱାଲସାରେ ମୋଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୬ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ପାଇଁ ଚାରିଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି। ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜକୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପାଞ୍ଚ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ୩ଜଣ ଭ୍ରାମ୍ୟମାଣ ମୋଟରସାଇକଲ ଦଳଙ୍କୁ ନିୟୋଜିତ କରାଯାଇଛି। ସୁନାବେଡ଼ା ଥାନା ଅଧିକାରୀ ସମ୍ବିତକୁମାର ବେହେରାଙ୍କୁ ସେକ୍ଟର ଅଧିକାରୀ ଭାବେ ନିୟୋଜିତ କରାଯାଇଛ। ଏଠାରେ ପ୍ରକାଶଥାଉକି କୋଟିଆ ପଞ୍ଚାୟତର ସମୁଦାୟ ଭୋଟରଙ୍କ ସଂଖ୍ୟା ୫୧୯୭ଜଣ ଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨୭୭୨ ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ୨୪୨୫ ବୋଲି ଜଣାଯାଇଛି।

Breaking News