ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ କୁସ୍ତି ସଂଘର ନୂଆ ସଭାପତି ସଞ୍ଜୟ ସିଂହଙ୍କୁ ବିରୋଧ କରି ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି। ପୁନିଆ ପଦ୍ମଶ୍ରୀ ଫେରାଇବା ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ବଜରଙ୍ଗ ପୁନିଆ ଲେଖିଛନ୍ତି, ‘‘ମୁଁ ମୋର ପଦ୍କଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀ ଜୀଙ୍କୁ ଫେରାଇ ଦେଉଛି। କହିବାକୁ କେବଳ ମୋର ଏହି ପତ୍ର ଅଛି। ଏହା ହିଁ ମୋର ବିବୃତ୍ତି।’’ ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ବଜରଙ୍ଗ ପୁନିଆଙ୍କ ସମେତ ଦେଶର ଅନେକ ବଡ଼ ବଡ଼ କୁସ୍ତି ଯୋଦ୍ଧା କୁସ୍ତି ସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଧାରଣା ଆରମ୍ଭ କରିଥିଲେ। ରେସଲରମାନେ ବ୍ରିଜଭୂଷଣ ସିଂହ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ପ୍ରତିଶୃତି ପାଇଁ ରେସଲରମାନେ ଧାରଣାରୁ ହଟିିଥିଲେ। ପରେ ସେମାନେ ତଦନ୍ତରେ ସନ୍ତୁଷ୍ଟ ନ ହେବାରୁ ପୁଣି ଧାରଣାରେ ବସିଥିଲେ ଏବଂ ଏହାକୁ ନେଇ ଅନେକ ଚର୍ଚ୍ଚା ଓ ବିଶୃଙ୍ଖଳା ହୋଇଥିଲା। ଶେଷରେ ବ୍ରିଜଭୂଷଣଙ୍କୁ ପଦରୁ ହଟାଇ ଦିଆଯାଇଥିଲା ଓ ପୁନଃ ନିର୍ବାଚନ ହୋଇଥିଲା। ଗୁରୁବାର କୁସ୍ତି ମହାସଂଘର ନିର୍ବାଚନରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ଭାବେ ବିଜୟୀ ହୋଇଛନ୍ତି |






More Stories
ଗଣତନ୍ତ୍ରକୁ ସୁଦୃଢ କରିଛି ନାରୀଙ୍କ ଭାଗିଦାରୀ…..
ପୋଲିସ ଗାଡି ପୋଡିଲେ କର୍ମଚାରୀ….
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..