ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇ ଜଣ ମହିଳା ଗୋଟାଏ ବାଘ ସହିତ ଲଢ଼େଇ କରି ବାନ୍ଧବୀକୁ ମୃତ୍ୟୁରୁ ରକ୍ଷା କରିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡର ଚମ୍ପାୱତ୍ ଜିଲ୍ଲା ଅନ୍ତର୍ଗତ ବୁନ୍ ବନଖଣ୍ଡରେ | ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ଜାନକୀ ଦେବୀ ଓ ପାର୍ବତୀ ଦେବୀଙ୍କ ସହିତ ମିଶି ଗାଈଗୋରୁଙ୍କ ପାଇଁ ଖାଦ୍ୟ ସଂଗ୍ରହ କରୁଥିବା ବେଳେ ବାଘଟି ଗୀତା ଦେବୀଙ୍କୁ ଆକ୍ରମଣ କଲା। ବୁନ୍ ‘ଫରେଷ୍ଟ ରେଞ୍ଜର୍’ ଗୁଲ୍ଜାର୍ ହୁସେନ୍ କହିଛନ୍ତି, ବାଘଟି ଗୀତାଙ୍କ ଉପରକୁ ଲମ୍ଫ ଦେଇ ତାଙ୍କୁ କାମୁଡ଼ି ଧରି ବଣ ଆଡ଼କୁ ପ୍ରାୟ ୪୦ ମିଟର୍ ଘୋଷାରି ନେଇଗଲା। ଜାନକୀ ଓ ପାର୍ବତୀ ତତ୍କ୍ଷଣା ଠେଙ୍ଗା ଓ ଦାଆ ଧରି ବାଘ ସହିତ ଲଢ଼େଇ କଲେ। ପରେ ପରେ ସେମାନେ ବାଘ ଉପରକୁ ଟେକାପଥର ବି ଫିଙ୍ଗିଲେ। ଶେଷରେ ସେମାନଙ୍କ ଉଦ୍ୟମ ସଫଳ ହେଲା ଓ ଗୁରୁତର କ୍ଷତାକ୍ତ ଗୀତାକୁ ଛାଡ଼ି ବାଘ ଘନ ଜଙ୍ଗଲକୁ ଚାଲିଗଲା। ସାହସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଜାନକୀ ଓ ପାର୍ବତୀଙ୍କୁ ପ୍ରଶଂସା କରିଛନ୍ତି। ଗୀତାଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ଚେତା ହରାଇବା ଭଳି ଅବସ୍ଥାରେ ତାଙ୍କୁ ଟଣକପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଚିକିତ୍ସାଧୀନ ଥିବା ଗୀତା ଏବେ ବିପଦମୁକ୍ତ ଥିବା କଥା ଡାକ୍ତରମାନେ କହିଛନ୍ତି।





More Stories
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..