ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡାକ୍ତରଙ୍କ ହାତ ଲେଖା ପ୍ରେସ୍କ୍ରିପ୍ସନ୍କୁ ନେଇ ସମସ୍ୟା ଦେଖା ଦେଇଥାଏ | କାରଣ ସେମାନଙ୍କ ହାତ ଲେଖାକୁ କେହି ଠିକ୍ରେ ପଢ଼ି ପାରନ୍ତି ନାହିଁ। ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରେସ୍କ୍ରିପ୍ସନ୍ ଓ ଅନ୍ୟାନ୍ୟ ରିପୋର୍ଟ ଗୋଡ଼ିକୁ ସ୍ପଷ୍ଟଭାବେ ବା କେପିଟାଲ୍ ଅକ୍ଷରରେ ଲେଖିବାକୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ କହିଛନ୍ତି। ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ୍ ସମ୍ବନ୍ଧୀୟ ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ୍ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିନାହାନ୍ତି କୋର୍ଟ। ପ୍ରକୃତ ହେଉଛି କି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଣସର ଗାଁର ରସାନନ୍ଦ ଭୋଇଙ୍କ ପୁଅକୁ ସାପ କାମୁଡ଼ି ଥିଲା। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ପରେ ସେ କ୍ଷତିପୂରଣ ରାଶି ପାଇଁ ପ୍ରଶାସନ ପାଖରେ ଆବେଦନ କରିଥିଲେ। ହେଲେ ତାଙ୍କୁ କୌଣସି ସହାୟତା ମିଳିନଥିଲା।ପ୍ରଶାସନଠାରୁ ନିରାଶ ହୋଇ ରସାନନ୍ଦ ଭୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାକୁ ଗୁରୁତର ସହ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଥିଲେ। ତାହାର ଜବାବ ହାଇକୋର୍ଟରେ ଦାଖଲ କରିଥିଲା ଜିଲ୍ଲା ପ୍ରଶାସନ। ଯେଉଁଥିରେ ଲେଖାଯାଇଥିଲା, ଶବ ବ୍ୟବଚ୍ଛେଦ ରିପୋର୍ଟ ପଢ଼ି ପାରିନଥିବାରୁ କୌଣସି ନିଷ୍ପତ୍ତି ନେଇପାରିନାହିଁ। ଏହା ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିଥିବା ଡାକ୍ତରଙ୍କୁ ହାଜର ହେବା ପାଇଁ କହିଥିଲେ କୋର୍ଟ। ଏହା ପରେ ସମ୍ପୃକ୍ତ ଡାକ୍ତର କୋର୍ଟରେ ହାଜର ହୋଇ ରିପୋର୍ଟ ପଢ଼ି ଥିଲେ। ସାପ କାମୁଡ଼ାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖାଯାଇଥିବା ଡାକ୍ତର କହିଥିଲେ। ଏହି ମାମଲାକୁ ବିଚାର କରିବାକୁ ଯାଇ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..