ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମିଳିଥିବା ନିମନ୍ତ୍ରଣକୁ ଅସ୍ବୀକାର କରିଛି କଂଗ୍ରେସ। ଏନେଇ କଂଗ୍ରେସ ପକ୍ଷରୁ ଏକ ବିବୃତି ଜାରି କରି ସୂଚନା ଦିଆଯାଇଛି। ବିବୃତିରେ କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ମିଳିଥିବା ନିମନ୍ତ୍ରଣକୁ ଆମେ ସମ୍ମାନର ସହ ଅସ୍ବୀକାର କରିଛୁ। ଜାନୁଆରି ୨୨ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କୌଣସି କଂଗ୍ରେସ ନେତା ଅଯୋଧ୍ୟା ଯିବେ ନାହିଁ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତି ଜାରି କରି କହିଛନ୍ତି ଯେ, “ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଆଧୀର ରଂଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କୁ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ବିଷୟ। କିନ୍ତୁ ଆରଏସଏସ / ବିଜେପି ଅଯୋଧ୍ୟାରେ ଥିବା ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପ କରିଛି।” ସେ ଆହୁରି କହିଛନ୍ତି, “ଲୋକସଭା ନିର୍ବାଚନରେ ଲାଭ ପାଇବା ପାଇଁ ଅଧା ନିର୍ମାଣ ହୋଇଥିବା ମନ୍ଦିରର ଉଦଘାଟନ କରୁଛି ବିଜେପି ଏବଂ ଆରଏସଏସ। ୨୦୧୯ରେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ଏବଂ ପ୍ରଭୁ ରାମଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ଆଧୀର ରଂଜନ ଚୌଧୁରୀ, ଆରଏସଏସ/ବିଜେପିର ଏହି କାର୍ଯ୍ୟକ୍ରମର ନିମନ୍ତ୍ରଣକୁ ଅସ୍ବୀକାର କରିଛନ୍ତି।”






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..