Report Card Odisha

| Daily Odia News

କୃଷକ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ଅଚଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନି ଏକ୍ସ କୃଷକଙ୍କ ଆନ୍ଦୋଳନ ସହ ଜଡିତ ଅନେକ ଆକାଉଣ୍ଟ୍ ଏବଂ ଫ୍ୟାନ୍ ପେଜକୁ ଅଚଳ କରିଛି। ଅଚଳ ହୋଇଥିବା ଆକାଉଣ୍ଟଗୁଡିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା ଏବଂ ସେମାନଙ୍କ ସମର୍ଥକଙ୍କ ଆକାଉଣ୍ଟ ମଧ୍ୟ ଅଛି। ଭାରତ ସରକାର କୃଷକଙ୍କ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟକୁ ଅଚଳ ରଖିବାକୁ ନିର୍ଦ୍ଦେଶ ଦେବା ପରେ ଏକ୍ସ ଏଭଳି କରିଥିବା ସ୍ପଷ୍ଟ କରିଛି। ଏକ୍ସ ପକ୍ଷରୁ କୁହାଯାଇଛି ଯେ, “ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନି କୃଷକଙ୍କ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟଗୁଡ଼ିକୁ କେବଳ ଭାରତରେ ଅବରୋଧ କରିଛି। ଏଭଳି କାମକୁ ଆମେ ସମର୍ଥନ କରୁନାହୁଁ। କିନ୍ତୁ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଇଁ ଆମକୁ ଏଭଳି କରିବାକୁ ପଡ଼ିଛି। ଅଚଳ ହୋଇଥିବା ଆକଉଣ୍ଟଧାରୀଙ୍କ ପାଖକୁ ଆମେ ଆମ ପଲିସି ବିଷୟରେ ଜଣାଇ ଏଭଳି କାହିଁକି କରାଯାଇଛି, ତାହା ଜଣାଇ ଦେଇଛୁ।”ଉଲ୍ଲେଖଯୋଗ୍ୟ, ଗୃହ ମନ୍ତ୍ରାଳୟର ଅନୁରୋଧ କ୍ରମେ ଶାନ୍ତି ବଜାୟ ରଖିବା ପାଇଁ ୧୭୭ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବ ଲିଙ୍କକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ସ୍ନାପଚାଟ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟ ଏବଂ ଲିଙ୍କକୁ ବ୍ଲକ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଥିଲେ।

Breaking News