ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମନୋହର ଯୋଶୀଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ। ମନୋହର ଯୋଶୀଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଗତକାଲି ମନୋହର ଯୋଶୀ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଜି ଭୋର ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମନୋହର ଯୋଶୀଙ୍କ ମୃତଦେହକୁ ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ରଖାଯିବ । ଏହାପରେ ଏକ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ ଦାଦର ଶ୍ମଶାନ ଘାଟକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଶିବସେନା-ୟୁବିଟି ନେତା ଉଦ୍ଧବ ଠାକରେ ଏବଂ ରଶ୍ମୀ ଠାକରେ ମନୋହର ଯୋଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବାପାଇଁ ହିନ୍ଦୁଜା ଡାକ୍ତରଖାନାରେ ପହଞ୍ଚିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ କିଛି ସମୟ ପାଇଁ ରାଜନୀତିରେ ସକ୍ରିୟ ନଥିଲେ। ତେବେ ମନୋହର ଯୋଶୀଙ୍କ ରାଜନୈତିକ କ୍ୟାରିୟର ବେଶ ଲମ୍ବା ଥିଲା। ସେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କର୍ପୋରେଟର, ମେୟର, ବିଧାନ ପରିଷଦ ସଦସ୍ୟ, ବିଧାୟକ, ସଂସଦର ସଦସ୍ୟ, କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ, ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ। ସେ ୧୯୯୫ରୁ ୧୯୯୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..