Report Card Odisha

| Daily Odia News

ଟିଭି ଆଙ୍କର୍‌ଙ୍କୁ ଅପହରଣ କରିଥିବା ମହିଳା ଗିରଫ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାହା ହେବା ଉଦ୍ଦେଶ୍ୟରେ ଟିଭି ଆଙ୍କର୍‌ଙ୍କୁ ଅପହରଣ କରିଥିବା ଜଣେ ମହିଳା ବ୍ୟବସାୟୀଙ୍କୁ ହାଇଦ୍ରାବାଦରେ ଗିରଫ କରାଯାଇଛି। ପୋଲିସ କହିଛି, ଟିଭି ଆଙ୍କର୍‌ଙ୍କୁ ଅନୁସରଣ କରିବା ଓ ତାଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା ଲାଗି ସେ ମହିଳା ଟିଭି ଆଙ୍କର୍‌ କାର୍‌ରେ ଗୋଟାଏ ଟ୍ରାକିଙ୍ଗ୍‌ ଡିଭାଇସ୍‌ ଲଗାଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଡିଜିଟାଲ୍‌ ମାର୍କେଟିଙ୍ଗ୍‌ ବ୍ୟବସାୟ କରୁଥିବା ୫ଟି ଷ୍ଟାର୍ଟଅପ୍‌ କମ୍ପାନିର ପରିଚାଳନା ନିର୍ଦେଶିକା ୩୧ ବର୍ଷୀୟା ଭୋଗିରେଡ୍ଡୀ ତୃଷା ମାଟ୍ରିମୋନି ୱେବ୍‌ସାଇ‌ଟ୍‌ରେ ଟିଭି ଆଙ୍କର୍‌ ପ୍ରଣବ ସିସ୍ତଲାଙ୍କ ଫଟୋ ଦେଖି ୨ ବର୍ଷ ତଳୁ ସହିତ ଚାଟିଙ୍ଗ୍‌ କରି ଆସୁଥିଲେ। କିନ୍ତୁ, ପରେ ତୃଷା ଜାଣିପାରିଲେ ଯେ, ମାଟ୍ରିମୋନି ସାଇଟ୍‌ରେ ଅସଲ ଆକାଉଣ୍ଟ୍‌ ହୋଲ୍‌ଡର୍ ନିଜ ଫଟୋ ନ ଦେଇ ପ୍ରୋଫାଇଲ୍‌ ପିକ୍‌ଚର୍‌ ଭାବେ ଟିଭି ଆଙ୍କର୍‌ ସିସ୍ତଲାଙ୍କ ଫଟୋ ବ୍ୟବହାର କରିଛନ୍ତି। ତା’ପରେ ତୃଷା ପ୍ରୋଫାଇଲ୍‌ ସର୍ଚ କରି ସିସ୍ତଲାଙ୍କ ଫୋନ୍‌ ନମ୍ବର ପାଇଗଲେ। ତାଙ୍କ ସହିତ ଇନ୍‌ଷ୍ଟା ମେସେଜିଙ୍ଗ୍‌ ଆପ୍‌ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଲେ ଯେ, କ‌ୌଣସି ଅଜ୍ଞାତ ବ୍ୟକ୍ତି ମାଟ୍ରିମୋନି ସାଇଟ୍‌ରେ ଜାଲ୍‌ ଆକାଉଣ୍ଟ୍‌ ଖୋଲି ତାଙ୍କ ଫଟୋ ଲଗାଇ ଦେଇଛନ୍ତି। ସେ ସଂକ୍ରାନ୍ତରେ ସେ ସାଇବର୍‌ କ୍ରାଇମ୍‌ ଥାନାରେ ଅଭିଯୋଗ କରିଛନ୍ତି। ତୃଷା କିନ୍ତୁ ସିସ୍ତଲାଙ୍କ ପାଖକୁ ମେସେଜ୍‌ ପଠାଇବା ଜାରି ରଖିଲେ। ବିବାହ ପ୍ରସ୍ତାବ ବି ଦେଲେ। ତେଣୁ, ସିସ୍ତଲା ତୃଷାଙ୍କ ନମ୍ବର ବ୍ଲକ୍‌ କରିଦେଲେ। ସିସ୍ତଲାଙ୍କୁ ବାହା ହେବାକୁ ଦୃଢ଼ ନିଶ୍ଚୟ କରି ତୃଷା ତାଙ୍କୁ ଅପହରଣ କରିନେବାକୁ ଯୋଜନା କଲେ। ଏଭଳି କରିବାଦ୍ବାରା ସମସ୍ୟା ସମାଧାନ ହୋଇଯିବ ବୋଲି ତାଙ୍କର ଧାରଣା ହୋଇଥିଲା । ସିସ୍ତଲାଙ୍କୁ ଅପହରଣ କରିନେବାକୁ ସେ ୪ଜଣ ଲୋକ ଲଗାଇ କାର୍‌ରେ ଗୋଟାଏ ଟ୍ରାକିଙ୍ଗ୍‌ ଡିଭାଇସ୍‌ ଲଗାଇଥିଲେ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଫେବ୍ରୁଆରି ୧୧ ତାରିଖ ଦିନ ୪ଜଣଯାକ ସିସ୍ତଲାଙ୍କୁ ଅପହରଣ କରି ତୃଷାଙ୍କ ଅଫିସ୍‌କୁ ନେଇ ନିର୍ଧୁମ୍‌ ଛେଚିଲେ। ଜୀବନ ବିକଳରେ ସିସ୍ତଲା ତୃଷାଙ୍କ ଫୋନ୍‌ ରିସିଭ୍‌ କରିବେ ବୋଲି ରାଜି ହେଲାରୁ ତାଙ୍କୁ ଛାଡ଼ି ଦିଆଗଲା। ପରେ ସିସ୍ତଲା ଉପ୍ପଲ୍‌ ଥାନାରେ ଅଭିଯୋଗ ଦାଏର କ‌ରିବାରୁ ପୋଲିସ ‘ଆଇପିସି’ ଧାରା ୨୬୩, ୩୪୧ ଓ ୩୪୨ ଅନୁଯାୟୀ ତୃଷାଙ୍କ ନାମରେ ମାମଲା ରୁଜୁ କଲେ। ଘଟଣାର ତଦନ୍ତ କରି ପୋଲିସ ତୃଷା ଓ ସେ ଭଡ଼ାରେ ଆଣିଥିବା ୪ଜଣ ଲୋକଙ୍କୁ ଗିରଫ କରିଛି।

 

Breaking News