ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିନା ଚାଳକରେ ଏକ ମାଲବାହୀ ଟ୍ରେନ୍ ରେଳ ଧାରଣାରେ ୮୦ କିମି ଦୂର ଗଡ଼ିଚାଲିଲା । ନିଜର ଯାତ୍ରାରେ ଟ୍ରେନ୍ଟି ଘଣ୍ଟାକୁ ୧୦୦ କିମି ତୀବ୍ରତାକୁ ମଧ୍ୟ ଛୁଇଁଥିଲା। ଏଥିପାଇଁ କୌଣସି ଇନ୍ଧନର ବ୍ୟବହାର ହୋଇନଥିଲା। କୌଣସି କୌଶଳ ନଥିଲା, ଏହା ଏକ ଦୁର୍ଘଟଣା ଥିଲା । ଜମ୍ମୁ ଓ କଶ୍ମୀରରୁ ପଞ୍ଜାବ ଯାଉଥିବା ୫୩ ୱାଗନ ବିଶିଷ୍ଟ ଏକ ପଣ୍ୟବାହୀ ଟ୍ରେନ୍ କଠୁଆ ଷ୍ଟେସନ୍ ଠାରେ ଅଟକିଥିଲା । ପ୍ରତି ୱାଗନରେ ପଥର ଚିପ୍ସ ଥିଲା। ଟ୍ରେନ୍ରେ ଚାଳକ ପରିବର୍ତନ ପାଇଁ ଟ୍ରେନ୍ଟି ଅଟକାଯାଇଥିଲା । ତେବେ ଚାଳକ ଆସି ଟ୍ରେନ୍ର ଇଂଜିନର ଦାୟିତ୍ବ ସମ୍ଭାଳିବା ପୂର୍ବରୁ ପ୍ରାକୃତିକ ଗଡ଼ାଣି (ସ୍ଲୋପ୍) ଯୋଗୁଁ ଟ୍ରେନ୍ଟି ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା। କାରଣ ପୂର୍ବ ଚାଳକ ଗାଡ଼ିର ହ୍ୟାଣ୍ଡ୍ବ୍ରେକ୍ ଲଗାଇନଥିଲେ। ଫଳରେ ଗଡ଼ିବାକୁ ଆରମ୍ଭ କରିଥିବା ଗାଡ଼ିର ଗତି ବଢ଼ିଚାଲିଥିଲା। ଏପରିକି ଏହାର ଗତି ଘଣ୍ଟାକୁ ୧୦୦ କିମି ଛୁଇଁଥିଲା। ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଅର୍ଥାତ୍ ୯ଟା ବେଳକୁ ପଞ୍ଜାବର ଦସାୟୁର ଉଞ୍ଚିବାସୀ ପହଞ୍ଚିଯାଇଥିଲା। ରେଳବାଇଁ କର୍ତ୍ତୃପକ୍ଷ ବିଭିନ୍ନ ଯାନ୍ତ୍ରିକ ବ୍ୟବସ୍ଥା ଦ୍ବାରା ଟ୍ରେନ୍କୁ କଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଉଞ୍ଚିବାସୀ ନିକଟରେ ପ୍ରାକୃତିକ ଭାବେ ରେଳପଥର ଗଡ଼ାଣି ହ୍ରାସ ପାଇ ଉଠାଣି ବୃଦ୍ଧିପାଇଥାଏ। ଏହି ଉଠାଣିରେ କାଠ ଦ୍ବାରା ଅବରୋଧ କରିବାରୁ ଟ୍ରେନ୍ଟି ଅଟକି ଯାଇଥିଲା। ଏଭଳି ଲୋମହର୍ଷଣକାରୀ ଘଟଣାରେ ଦୈବ ଯୋଗକୁ କୌଣସି ଧନଜୀବନର ହାନୀ ହୋଇନାହିଁ। ଉତ୍ତର ରେଳବାଇର ମୁଖପାତ୍ର ଏନେଇ କହିଛନ୍ତି ଯେ ଜମ୍ମୁ-ଜଳନ୍ଧର ସେକ୍ସନରେ ପଞ୍ଜାବ ଦିଗକୁ ପ୍ରାକୃତିକ ଗଡ଼ାଣି ରହିଛି। ଘଟଣା ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..