ରିପୋର୍ଟ କାର୍ଡ / ଭୁବନେଶ୍ବର
ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିଭିନ୍ନ ସ୍ଥାନକୁ ମାରାଥନ୍ ଗସ୍ତ କରିଥିଲେ। କୃଷି ଭବନ, ମିସନ ଶକ୍ତି ବଜାର ବୁଲିବା ସହ ବସ୍ତିର ବିକାଶକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ପାଖେ ପାଖେ ରହି ସବୁ ଅବଗତ କରାଇଥିଲେ। ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ଢେର୍ ପ୍ରଶଂସା କରିଛନ୍ତି ଗେଟ୍ସ୍। ଆଗାମୀ ଦିନରେ ଓଡ଼ିଶାରେ ବିଲ ଗେଟ୍ସ ପୁଞ୍ଜିନିବେଶ କରିବାର ସମ୍ଭାବନା ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ବେଶ୍ ଆଶାବାଦୀ ହୋଇପଡ଼ିଛନ୍ତି। ରାଜଧାନୀର ବିଭିନ୍ନ ଜାଗା ବୁଲିଲା ପରେ ବିଲ୍ ଗେଟ୍ସ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜାଗା ମିସନ, ମିସନ ଶକ୍ତି, ଓଡ଼ିଶା ସ୍କୁଲ ରୂପାନ୍ତରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କିତ ଅନ୍ୟାନ୍ୟ ରୂପାନ୍ତରଣ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ବିଲ୍-ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଜ୍ଞାନକୌଶଳ ଦୃଷ୍ଟିରୁ ଏହା ରାଜ୍ୟବାସୀଙ୍କ ବିକାଶ ଦିଗରେ ସହାୟକ ହୋଇଥିବା କହିଥିଲେ। ୫-ଟି ଉପକ୍ରମରେ ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା ପାଇଁ ମୁଖ୍ୟମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ ଧନ୍ୟବାଦ ଦେଇଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……