ରିପୋର୍ଟ କାର୍ଡ / ପୁରୀ
ଚଳିତ ବର୍ଷ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରଥଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ଶନିବାର ସର୍କିଟ୍ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସେହି ଅନୁଯାୟୀ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥକାଠ ସଂଗ୍ରହ, ରଥଖଳା ନିର୍ମାଣ, ରଥ ନିର୍ମାଣଠାରୁ ଆରମ୍ଭ କରି ରାସ୍ତାଘାଟ, ଡ୍ରେନେଜ୍ ଆଦିର ମରାମତି, ପରିବହନ, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ କରିବାକୁ କୁହାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଇନଶୃ୍ଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ପ୍ରସ୍ତୁତିର ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ପୋଲିସ ଓ ଜିଲ୍ଲା ପ୍ରଶାସନର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ବିଭାଗର ସମନ୍ବୟଭିତ୍ତିରେ ମହାପ୍ରଭୁଙ୍କ ରଥଯାତ୍ରାକୁ ସୁନ୍ଦର ଓ ଶୃଙ୍ଖଳିତ ପରିଚାଳନା ପାଇଁ ଗୁରୁତ୍ବ ଦିଆଯାଇଥିଲା। ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଓ କାର୍ଯ୍ୟ ଦିଆଯାଉଛି, ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ନିର୍ବାଚନ ସହ ରଥଯାତ୍ରାର ପ୍ରସ୍ତୁତି କରିବାର ଥିବାରୁ ପ୍ରତ୍ୟେକ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଖଳା ପରିଷ୍କାର, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥ କପଡ଼ା ସଂଗ୍ରହ, ନୀତି ସମ୍ପାଦନ, ରଥଟଣା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ମରାମତି ଓ ଉନ୍ନତୀକରଣ, ପାର୍କିଂ ସ୍ଥଳରେ ଶୃଙ୍ଖଳା, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ପୃକ୍ତ ବିଭାଗମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..