ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ନହେଉ | ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍ଡିଆର୍ଏଫ୍)ରୁ ଅନୁଦାନ ପ୍ରଦାନରେ ବିଳମ୍ବ ନେଇ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି। ବିଚାରପତି ଭୂଷଣ ରାମକ୍ରିଷ୍ଣା ଗଭାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସଂପ୍ରତି ଏକାଧିକ ରାଜ୍ୟ ସରକାର କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ନହେଉ। କର୍ଣ୍ଣାଟକ ରାଜ୍ୟ ସରକାର ପକ୍ଷରୁ ଡିଏଲ୍ ଚିଦାନନ୍ଦ, ଦେବଦତ୍ତ କାମାତ୍ ଓ ଆଡ୍ଭୋକେଟ୍ ଜେନେରାଲ୍ (ଏଜି)କେ ଶଶୀ କିରଣ ସେଟ୍ଟି ଖଣ୍ଡପୀଠଙ୍କ ସମ୍ମୁଖରେ ଆବେଦନ ଉପସ୍ଥାପିତ କରିଥିଲେ। ସେମାନେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ସମ୍ପର୍କରେ ଆନ୍ତଃ- ମନ୍ତ୍ରିମଣ୍ଡଳ କେନ୍ଦ୍ରୀୟ ଟିମ୍ର ରିପୋର୍ଟ ଦାଖଲ ହୋଇ ୬ ମାସ ବିତିଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମିଳିବାକୁ ଥିବା ଏନ୍ଡିଆର୍ଏଫ୍ ସହାୟତା ପ୍ରଦାନ କରାଯାଇନାହିଁ। ଫଳରେ କ୍ଷତିଗ୍ରସ୍ତଙ୍କ ସମସ୍ୟା ବୃଦ୍ଧି ପାଇଛି। ଏହା କର୍ଣ୍ଣାଟକ ରାଜ୍ୟର ଲୋକଙ୍କ ମୌଳିକ ଅଧିକାରର ହନନ ଅଟେ। ଏହାର ଜବାବରେ ସଲିସିଟର ଜେନୋରାଲ୍ (ଏସ୍ଜି) ତୁଷାର ମେହେଟ୍ଟା କହିଥିଲେ ଯେ ସମସ୍ୟା ସମ୍ପର୍କରେ କେନ୍ଦ୍ର ସହ ଆଲୋଚନା ନକରି ଧାରା ୩୨ ଅନୁସାରେ ଆବେଦନ କରିବା ଯଥାର୍ଥ ନୁହେଁ। ଲୋକସଭା ନିର୍ବାଚନ ସମୟରେ ଏଭଳି ଜନସ୍ବାର୍ଥ ମାମଲା ପଛରେ ଉଦ୍ଦେଶ୍ୟ ସ୍ପଷ୍ଟ। ଖଣ୍ଡପୀଠ ଆବେଦନକୁ ଗ୍ରହଣ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଏସ୍ଜି ମେହେଟ୍ଟା ଓ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କେଟେରମଣିଙ୍କୁ ଦୁଇ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ ସହ କୋର୍ଟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ କେରଳ ସରକାର ଅଧିକ ଋଣ ଉଠାଇବା ଅଧିକାର ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ତାମିଲନାଡ଼ୁ ସରକାର ମଧ୍ୟ ରିଲିଫ୍ ପାଣ୍ଠିରୁ ରାଜ୍ୟର ଭାଗ ଦେଉନଥିବା ଅଭିଯୋଗ କରି ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପଞ୍ଜାବ ସରକାର ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ ବେଳେ ୪ହଜାର କୋଟି ଟଙ୍କାର ବୈଧାନିକ ଫି’ ଖର୍ଚ୍ଚର ଭରଣା କରାଯାଉନଥିବା ଅଭିଯୋଗ କରି ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..