Report Card Odisha

| Daily Odia News

ଖଣିରେ ବସ୍‌ ଖସି ୧୫ ମୃତ, ୧୨ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡ଼ ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରୋଇ କମ୍ପାନିର କର୍ମଚାରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ବସ୍‌ ମୋରମ ଖଣି ଖାତରେ ଖସି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଘରୋଇ ଡି‌ଷ୍ଟିଲେରି କମ୍ପାନିରେ କାମ ସାରି କର୍ମଚାରୀମାନେ ଘରକୁ ଫେରିବା ବେଳେ କୁମ୍‌ହାରି ଥାନା ଖାପ୍ରି ଗାଁ ନିକଟରେ ଦୁର୍ଘଟଣା ଘଟିଛି ବୋଲି ଦୁର୍ଗ ପୋଲିସ ସୂଚନା ଦେଇଛନ୍ତି। ଖବର ପାଇ ପୋଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ପ୍ରଥମେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପରେ ୪ ଜଣଙ୍କର ଡାକ୍ତରଖାନା‌ରେ ମୃତ୍ୟୁ ହୋଇଛି। ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଦୁର୍ଘଟଣା ଖବର ପାଇବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କ ଚିକିତ୍ସା ଲାଗି ପଦ‌କ୍ଷେପ ନିଆଯାଇଥିବା ସେ କହିଛନ୍ତି। ମୃତକମାନଙ୍କ ପାଇଁ ସେ ଶୋକବ୍ୟକ୍ତ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

Breaking News