Report Card Odisha

| Daily Odia News

ଓଡ଼ିଶା ଆସିବେ ସୋନିଆ, ରାହୁଲ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେ ପ୍ରଥମ ସପ୍ତାହରେ ଓଡିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ। ଶ୍ରୀମତୀ ଗାନ୍ଧୀ ଓଡ଼ିଶାକୁ ଦୁଇ ପର୍ଯ୍ୟାୟ ପ୍ରଚାରରେ ଆସିବାକୁ ଥିବାବେଳେ ରାହୁଲ ୪ରୁ ୫ ଥର ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ବୋଲି ସୂଚନା ମିଳିଛି । କୋରାପୁଟ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଉଭୟ ଆସିବେ। ଏନେଇ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓଡ଼ିଶା ଗସ୍ତ କରିବେ। ସୋନିଆ କୋରାପୁଟରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାକୁ ଥିବାବେଳେ ରାହୁଲ ରାୟଗଡ଼ା ଜିଲା ଗସ୍ତରେ ଆସି ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣପୁର, ରାୟଗଡ଼ା, କୋରାପୁଟ ଓ ଜୟପୁରରେ ରୋଡ଼ ଶୋ’ କରି ତେଲୁଗୁ ଭୋଟରଙ୍କୁ କଂଗ୍ରେସ ଆଡ଼କୁ ଆକୃଷ୍ଟ କରିବେ। ମେ ୧୩ରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନସ୍ଥ ୨୮ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। କଟକ ଜିଲ୍ଲାର ସାଲେପୁର ପାଖାପାଖି ଅଞ୍ଚଳରେ ଏକ ବିରାଟ ସଭା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସଭାରେ ରାହୁଲ ଗାନ୍ଧୀଙ୍କୁ ପ୍ରଚାର ପାଇଁ ନିମନ୍ତ୍ରଣ କରାଯିବ। ସେହିପରି ଭୁବନେଶ୍ବରରେ ମହିଳାଙ୍କୁ ନେଇ ଏକ ସମାବେଶ କରାଯିବ। ଏହି ସମାବେଶରେ ସୋନିଆ ଗାନ୍ଧୀ ଯୋଗଦେବା ପାଇଁ ପ୍ରସ୍ତାବ ରହିଛି। ରାହୁଲ ରାୟଗଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ପ୍ରଚାର କରିବାକୁ ଆସିବେ। ପ୍ରତି ପର୍ଯ୍ୟାୟରେ ରାହୁଲଙ୍କୁ ପ୍ରଚାର କରିବା ନିମନ୍ତେ ନିମନ୍ତ୍ରଣ ଦିଆଯିବ। ପ୍ରଚାରକୁ ଜୋରଦାର କରିବା ପାଇଁ ୧୦୦ଟି ପ୍ରଚାର ଗାଡ଼ି ପ୍ରସ୍ତୁତ ହେଲାଣି। ପ୍ରତ୍ୟେକ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

Breaking News