Report Card Odisha

| Daily Odia News

ନିର୍ବାଚନ ପାଇଁ ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ -ଭିଭିପ୍ୟାଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଓ ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରେଲ (ଭିଭିପ୍ୟାଟ) ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମରେ ପହଁଚିଛି। ଏହି ଇଭିଏମ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଏଠାକୁ ଅଣାଯାଇଛି। ଏହାକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସଶସ୍ତ୍ର ପୁଲିସ କର୍ମଚାରୀ ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ମୁତୟନ ହୋଇଛନ୍ତି। ଏଥିସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ରାଣ୍ଡାମାଇଜେସନ ପରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ ଗୁଡିକୁ ଏଠାକୁ ଅଣାଯାଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ’ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୯୦୭ଟି ବୁଥ ଥିବା ବେଳେ ୧୧୧- ଜୟଦେବ, ୧୧୨- ଭୁବନେଶ୍ୱର ମଧ୍ୟ, ୧୧୩- ଭୁବନେଶ୍ୱର ଉତ୍ତର, ୧୧୪- ଭୁବନେଶ୍ୱର ଏକାମ୍ର, ୧୧୫- ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ୧୧୬୬ଟି ମତଦାନ କେନ୍ଦ୍ର ରହିଛି। ଏହି ୧୧୬୬ଟି ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳରେ ୬୫୮ଟି ଏବଂ ଗ୍ରାମାଞ୍ଚଳରେ ୫୦୮ଟି ବୁଥ ରହିଛି। ଇଭିଏମ ଓ ଭିଭିପ୍ୟାଟ କଡା ସୁରକ୍ଷା ମଧ୍ୟରେ ରଖାଇଯାଇଛି। ୫ଟି ଫ୍ଲୋରରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଟି ଲେଖାଏଁ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ହୋଇଛି। ଗୋଟିଏ ଲୋକସଭା ଓ ଅନ୍ୟଟି ବିଧାନସଭା କ୍ଷେତ୍ର ପାଇଁ ଷ୍ଟ୍ରଙ୍ଗରୁମ ରହିଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ୟ ଏହି ଷ୍ଟ୍ରଙ୍ଗରୁମ ନିକଟରେ ୨୪ ଘଣ୍ଟିଆ ଉପସ୍ଥିତ ରହିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ଭୋଟ ଗଣତି ଯାଏ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ। ଯାହାକି ଆସନ୍ତା ୩ରୁ ୪ ମାସ ପର୍ଯ୍ୟନ୍ତ ଏହି ରେକଡିଂ ରହିବ। ଷ୍ଟ୍ରଙ୍ଗ ରୁମ ଗୁଡିକୁ ଡବଲ ଲକ କରାଯିବ। ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ଇଭିଏମ ଏବଂ ଭିଭିପ୍ୟାଟ ମେସିନ ମହଜୁଦ ଥିବା ଜିଲ୍ଲାପାଳ କହିଛନ୍ତି।

Breaking News