Report Card Odisha

| Daily Odia News

ସୁରକ୍ଷା ବାହିନୀକୁ ବଡ଼ ସଫଳତା : ୨୯ ମାଓବାଦୀ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ପ୍ରାୟ ୨୯ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ତୁଙ୍ଗ କମାଣ୍ଡର ଶଙ୍କର ରାଓ ସାମିଲ ଥିବା କୁହାଯାଇଛି। ସୂଚନାଯୋଗ୍ୟ ଶଙ୍କରଙ୍କୁ ଧରାଇ ଦେବାକୁ ସରକାର ପୂର୍ବରୁ ୨୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମାଓବାଦୀଙ୍କ ଆକ୍ରମଣରେ ବିଏସ୍‌ଏଫ୍‌ ଇନ୍ସପେକ୍ଟର ଏବଂ ଡିଆର୍‌ଜିର ଜଣେ ଯବାନଙ୍କ ସମେତ ତିନିଜଣ ଆହତ ହୋଇଛନ୍ତି। ମାଓବାଦୀଙ୍କ ଶିବିରରୁ ୭ଟି ଏକେ୪୭ ରାଇଫଲ ଓ ଦୁଇଗୋଟି ଲାଇଟ୍‌ ମେସିନ୍‌ ବନ୍ଧୁକ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର କାଙ୍କେର ଜିଲାରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିଲା। ମଙ୍ଗଳବାର ବିଏସ୍‌ଏଫ୍‌ ଏବଂ ଡିଆର୍‌ଜି ଯବାନମାନେ ଛୋଟେବେଥିଆ ଥାନା କଲପର୍ ଜଙ୍ଗଲରେ ତଲାସି ଅଭିଯାନ ଚଳାଇଥିବାବେଳେ ମାଓବାଦୀ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଯବାନ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଏହି ବଡ଼ ଧରଣର ଗୁଳି ବିନିମୟ ଜାରି ରହିଥିବାବେଳେ ଏଥିରେ ୨୯ଜଣ ମାଓବାଦୀ ନିହତ ହେବା ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ପୂର୍ବରୁ ମାଓବାଦୀମାନେ ଯେପରି କୌଣସି ଅଘଟଣ ନ ଘଟାନ୍ତି ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Breaking News