ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉକ୍ତ ଛଅଟି ଜିଲା ଅଧିନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା ।ସମୀକ୍ଷା ବୈଠକ ପ୍ରାରମ୍ଭରେ ଦେଶରେ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ, ତ୍ରୁଟିଶୂନ୍ୟ ତଥା ସମସ୍ତଙ୍କ ଅଂଶଗ୍ରହଣରେ ପରିପୁଷ୍ଟ ଭାରତୀୟ ଗଣତନ୍ତ୍ରର ମହାନ ପର୍ବ ‘ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪’କୁ ଓଡ଼ିଶାରେ ସବୁମତେ ସଫଳ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଙ୍ଗୀକାରବଦ୍ଧତା ବିଷୟରେ ସ୍ପଷ୍ଟ ମତ ରଖିଥିଲେ । ଏହି ବୈଠକରେ ୬ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ସଂପୃକ୍ତ ଜିଲ୍ଲା ଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । ସେସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।ସେହିପରି ଏହି ଛଅଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ନିଜ ନିଜ ଜିଲ୍ଲାର ଆଇନଶୃଙ୍ଖଳାଜନିତ ପ୍ରସ୍ତୁତି, ଜବତ ବ୍ୟବସ୍ଥା, ଯାଞ୍ଚ ବ୍ୟବସ୍ଥା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିଥିଲେ ।ଏହି ସମସ୍ତ ତଥ୍ୟର ତର୍ଜମା କରି ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ୍ସ୍ତରରୁ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା କରିବା ପାଇଁ ଉପସ୍ଥିତ ସମସ୍ତ ଜିଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ , ବରିଷ୍ଠ ପୋଲିସ ଅଧିକାରୀ ଓ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଆଦର୍ଶ ନିର୍ବାଚନ ପରିଚାଳନା ପାଇଁ ସି-ଭିଜିଲ୍, ସୁବିଧା ପୋର୍ଟାଲ, ଏନ୍କୋର୍ ନୋଡ଼ାଲ ଆପ୍ର ବ୍ୟବହାର ସହ ଭିନ୍ନକ୍ଷମ ଭୋଟର ଓ ବୟୋଜେଷ୍ଠ ଭୋଟରଙ୍କ ସୁବିଧା, ପୋଷ୍ଟାଲ ବାଲାଟ୍, ନିର୍ବାଚନ ଆଚରଣ ବିଧିର ଯଥାର୍ଥ ଅନୁପାଳନ ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ । ମହିଳା ଓ ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ନିର୍ବାଚନକୁ ଦେଶର ସର୍ବବୃହତ୍ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା । ନିର୍ବାଚନ ପରିଚାଳନାରେ ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦେଶ ଦେଇଥିଲେ । ନିର୍ବାଚନ ପ୍ରସ୍ତୁତିରେ ଆଇନଶୃଙ୍ଖଳା ଦିଗ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା । ପ୍ରତିଟି ବୁଥ୍ ଯେପରି ସୁରକ୍ଷା ବଳୟ ମଧ୍ୟରେ ରହିବ ଓ ଇଭିଏମ୍-ଭିଭିପାଟ୍ ମତଗଣନା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷା ମଧ୍ୟରେ ରହିବ ସେ ବିଷୟରେ ଆଲୋଚନା ହୋଇଥିଲା । ନିର୍ବାଚନରେ ଆଦର୍ଶ ଆଚରଣ ବିଧିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସ୍ଟି, ପରିବହନ, ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..