Report Card Odisha

| Daily Odia News

ନିର୍ବାଚନରେ ବିଜୟ ପରେ ଭାରତକୁ ଆଖି ଦେଖାଇଲେ ମୁଇଜ୍ଜୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦୀୟ ନିର୍ବାଚନରେ ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନସି)କୁ ବହୁମତ ମିଳିଛି। ଦଳ ମୋଟ ୯୩ ଆସନରୁ ୬୮ ଆସନ ହାତେଇବା​ରେ ସମର୍ଥ ହୋଇଛି। ତେବେ ଏହି ବିଜୟ ପରେ ରାଷ୍ଟ୍ରପତି ମୁଇଜ୍ଜୁ ଭାରତକୁ ଆଖି ଦେଖାଇବା ଆରମ୍ଭ କରିଦେଇଛନ୍ତି। ଚୀନର ବଡ଼ ସମର୍ଥକ ଭାବେ ଜଣାଶୁଣା ମୁଇଜ୍ଜୁ ପୂର୍ବରୁ ଅନେକ ଥର ଭାରତ ବିରୋଧୀ ପଦକ୍ଷେପ ନେଇସାରିଥିବାବେଳେ ଏବେ ନିର୍ବାଚନରେ ଜିତିବା ପରେ ଭାରତକୁ ଇଙ୍ଗିତ କରି ମନ୍ତବ୍ୟ ଦେଇଛନ୍ତି। ମୁଇଜ୍ଜୁ କହିଛନ୍ତି, ବର୍ତ୍ତମାନର ନିର୍ବାଚନ ଫଳାଫଳ ଦୁନିଆକୁ ଦେଖାଇଦେଇଛି ଯେ ମାଳଦୀପର ଲୋକମାନେ ନିଜ ଭବିଷ୍ୟତ ସ୍ଥିର କରିବାରେ ସ୍ବାଧୀନତା ଚାହୁଁଛନ୍ତି। ସେମାନେ କୌଣସି ବିଦେଶୀ ଦଖଲକୁ ପସନ୍ଦ କରନ୍ତି ନାହିଁ। ଚଳିତ ନିର୍ବାଚନରେ ପିଏନସି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ପିଏନସିର ମେଣ୍ଟ ଦଳ ମାଳଦୀପ ନ୍ୟାଶନାଲ ପାର୍ଟି (ଏମଏନପି) ଗୋଟିଏ ଏବଂ ମାଳଦୀପ ଡେଭେଲପମେଣ୍ଟ ଆଲାଏନ୍ସ (ଏମଡିଏ) ୨ଟି ଆସନରେ ବିଜୟୀ ହୋଇଛନ୍ତି। ବିଜୟ ପରେ ସେ କହିଛନ୍ତି, ମାଳଦୀପ ଏକ ଗୌରବାନ୍ବିତ ଦେଶ, ଯାହାକୁ ନିଜର ସ୍ବତନ୍ତ୍ରତା ଏବଂ ସର୍ବଭୌମତା ପସନ୍ଦ। ମାଳଦୀପର ଲୋକମାନେ ଦେଶର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଇସଲାମ ଏବଂ ଏହାର ସିଦ୍ଧାନ୍ତରେ ବିଶ୍ବାସ କାଏମ ରଖିବାକୁ ଚାହୁଁଛନ୍ତି, ଯାହାର ପ୍ରମାଣ ହେଉଛି ନିର୍ବାଚନର ଫଳାଫଳ। ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ମାସରେ ମୁଇଜ୍ଜୁ ୫ ଦିନିଆ ଚୀନ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଲଗାତାର ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ମାଳଦୀପ ଛୋଟ ଦେଶ ହୋଇଥାଇପାରେ, କିନ୍ତୁ ଏହାକୁ ଭୟଭୀତ କରାଇବାକୁ କାହା ପାଖରେ ଲାଇସେନ୍ସ ନାହିଁ ବୋଲି ସେ କହିଥିଲେ।

Breaking News