Report Card Odisha

| Daily Odia News

କଂଗ୍ରେସର ଅଭିଯୋଗ ବିଚାରାଧୀନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଇସ୍ତାହାରରେ ଦିଆଯାଇଥିବା ସମ୍ପତ୍ତି ପୁନଃବଣ୍ଟନ ପ୍ରତିଶ୍ରୁତିକୁ ନେଇ ଦେଇଥିବା ମନ୍ତବ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ଏହାକୁ ‘ବିଭାଜନକାରୀ’ଏବଂ ‘ଦୂଷିତ’ ବୋଲି ଦର୍ଶାଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ‌କରିଛି। ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ କଂଗ୍ରେସର ଏହି ଅଭିଯୋଗ ବିଚାରାଧୀନ ରହିଛି। କଂଗ୍ରେସ ଲୋକଙ୍କ କଠିନ ପରିଶ୍ରମର ଅର୍ଥକୁ ଅନୁପ୍ରବେଶକାରୀ ଏବଂ ଯେଉଁମାନଙ୍କର ଅଧିକ ସନ୍ତାନ ଅଛି ସେମାନଙ୍କ ମଧ୍ୟରେ ବାଣ୍ଟିବାକୁ ଯୋଜନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏହା ତାଙ୍କର ଏକ ସାମ୍ପ୍ରଦାୟିକ ଅଭିଯାନ ବୋଲି କଂଗ୍ରେସ କହିଛି। ରାଜସ୍ଥାନର ଏକ ରାଲିରେ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ‘ଅନୁପ୍ରବେଶକାରୀ’ ମନ୍ତବ୍ୟ ବିରୋଧରେ କଂଗ୍ରେସ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ବିଜେପି କହିଛି ଯେ କଂଗ୍ରେସ ତା’ର ତୁଷ୍ଟୀକରଣ ରାଜନୀତିର ଚରମରେ ପହଞ୍ଚିଛି। ସୂଚନାଯୋଗ୍ୟ ରାଜସ୍ଥାନର ଡୁଙ୍ଗରପୁର-ବାଂଶୱାଡ଼ାରେ ଅନୁଷ୍ଠିତ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଦଳ ଦେଶର ମା’ ଓ ଭଉଣୀଙ୍କ ସୁନା ଗଣନା କରିବ ଏବଂ ସେହି ସମ୍ପତ୍ତିକୁ ବଣ୍ଟନ କରିବ। ମନମୋହନ ସିଂହଙ୍କ ସରକାର କହିଥିଲା ଯେ ଦେଶର ସମ୍ପତ୍ତି ଉପରେ ମୁସଲମାନଙ୍କର ପ୍ରଥମ ଅଧିକାର ରହିଛି। ତେଣୁ ଦେଶବାସୀଙ୍କୁ ସମ୍ପତ୍ତିକୁ କଂଗ୍ରେସ ଅନୁପ୍ରବେଶକାରୀ ଏବଂ ଅଧିକ ସନ୍ତାନ ଥିବା ଲୋକଙ୍କୁ ବାଣ୍ଟିବାକୁ ପ୍ରତିଶ୍ରୁତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲୋକଙ୍କ କଠିନ ପରିଶ୍ରମର ଟଙ୍କା ଅନୁପ୍ରବେଶକାରୀଙ୍କ ପାଖକୁ ଯିବା ଉଚିତ କି ବୋଲି ସେ ପ୍ରଶ୍ନ କରିଥିଲେ। ଗତକାଲି କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଥିଲା।

Breaking News