ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଜାରିରହିଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ୧୩ଟି ରାଜ୍ୟର ୮୮ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ତେବେ କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮ , ମହାରାଷ୍ଟ୍ରର ୮ , ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫ , ଛତିଶଗଡର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ସକାଳୁ ମତଦାନ ଚାଲିଛି। ଏସବୁ ଭିତରେ ରହିଛି କେରଳ ସମସ୍ତ ୨୦ଟି ଯାକ ସିଟ୍ । ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ। ଏସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର, ୧ହଜାର ୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ଲାଗି ୧ଲକ୍ଷ ୬୭ ହଜାର ପୋଲିଂ ବୁଥ୍ ର ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମାଓ ଉପଦୃତ ଏବଂ ସମ୍ବେଦନଶୀଳ ଅଞ୍ଚଳ ଗୁଡିକ ଉପରେ ସ୍ଵତନ୍ତ୍ର ଫୋକସ୍ ରଖାଯାଇଛି। ଆଜିର ଭୋଟ୍ ପରେ କେରଳ , ରାଜସ୍ଥାନ, ତ୍ରିପୁରାରେ ନିର୍ବାଚନ ସରିଯିବ । ତେବେ ମେ ୭ ତାରିଖରେ ୯୪ ସିଟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ରାହୁଲ ଗାନ୍ଧୀ, କେରଳ ଥିରୁଅନନ୍ତପୁରମରୁ ଶଶି ଥରୁର ଏବଂ ଅଭିନେତାରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶ ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, ରାଜସ୍ଥାନ କୋଟାରୁ ଓମ୍ ବିର୍ଲା ଏବଂ ଯୋଧପୁରରୁ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖଙ୍କ ଭାଗ୍ୟ ପରୀକ୍ଷା ହେବ ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..