ରିପୋର୍ଟ କାର୍ଡ / ରାୟଗଡ଼ା
ନିର୍ବାଚନ ପ୍ରଚାର ପାଇଁ ମଇ ୪ ତାରିଖରେ ରାୟଗଡ଼ା ଜିଲ୍ଲା ଟିକିରି ଗସ୍ତ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ| ଏନେଇ କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାୟଗଡ଼ା ନିର୍ବାଚନମଣ୍ଡଳୀ ଅଧୀନ କାଶୀପୁର ବ୍ଲକ ଅଞ୍ଚଳର ଭୋଟ ଅଙ୍କ ସବୁଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଆସିଛି। ଅଭିମାନ କରିଥିବା କାଶୀପୁରବାସୀଙ୍କ ମାନଭଞ୍ଜନ ପାଇଁ ଶ୍ରୀ ପଟ୍ଟନାୟକ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି। କିଛିଦିନ ତଳେ ହୋଇଥିବା ଦଳୀୟ ସର୍ଭେ ରିପୋର୍ଟ ଅନୁସାରେ ଉକ୍ତ ବ୍ଲକରେ ବିଜେଡିର ଭୋଟହାର ହ୍ରାସ ପାଇଥିବା କୁହାଯାଉଛି। ୨୦୧୯ ନିର୍ବାଚନରେ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ବହୁ ଭୋଟରେ ହାରିବା ଏବଂ ସ୍ବାଧୀନ ପ୍ରାର୍ଥୀ ଜିତିବା ବିଜେଡି ପାଇଁ ଚିନ୍ତାର ବିଷୟ ହୋଇଥିଲା। ସ୍ବାଧୀନ ପ୍ରାର୍ଥୀ ଜିତିବା ପଛରେ ଅସନ୍ତୁଷ୍ଟ ତଥା ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ଥିଲା ବୋଲି ଆଲୋଚନା ହେଉଛି। କାଶୀପୁର ଅଞ୍ଚଳରେ ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପାଞ୍ଚ ବର୍ଷ ପରେ ମଧ୍ୟ ପୂରଣ ହୋଇପାରି ନାହିଁ। ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତା ସଂଯୋଗ ପାଇଁ ଅହରହ ସଙ୍ଘର୍ଷ କରୁଥିବା ଅଞ୍ଚଳର ଅନେକ ଗ୍ରାମର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇ ସାରିଛନ୍ତି। ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ଅନସୂୟା ମାଝୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଦଳ ପକ୍ଷରୁ ରଣନୀତି ଆରମ୍ଭ ହୋଇଛି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….