Report Card Odisha

| Daily Odia News

ଭାରତ ବିରୋଧରେ ଷଡ଼୍‌ଯନ୍ତ୍ର କରୁଛି ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ସଂସଦୀୟ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରିବାକୁ ଷଡ଼୍‌ଯନ୍ତ୍ର କରୁଛି। ଭାରତର ଆଭ୍ୟନ୍ତରୀଣ ରାଜନୈତିକ ପରିସ୍ଥିତିକୁ ଅସନ୍ତୁଳିତ ରଖି ଅସ୍ଥିରତା ବଢ଼ାଇବାକୁ ଆମେରିକା ଚେଷ୍ଟା କରୁଛି ବୋଲି ରୁଷ୍ ଦାବି କରିଛି। ଭାରତର ରାଜନୀତି, ଗଣତାନ୍ତ୍ରିକ ବ୍ୟବସ୍ଥା, ଧାର୍ମିକ ସ୍ବାଧୀନତା ଏବଂ ସୁରକ୍ଷା ପ୍ରସଙ୍ଗରେ ବିବାଦୀୟ ବାତାବରଣ ସୃଷ୍ଟି କରିବାକୁ ଆମେରିକା ଲଗାତାର ପ୍ରୟାସ କରୁଛି ବୋଲି ରୁଷ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାରତକୁ ନେଇ ଆମେରିକାର ଦୋମୁହାଁ ନୀତିକୁ ସମାଲୋଚନା କରି ସେ କହିଛନ୍ତି ଯେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବିରୋଧରେ ବିଫଳ ହତ୍ୟା ଷଡ଼ଯନ୍ତ୍ରରେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ସମ୍ପର୍କରେ ଆମେରିକା ଏପର୍ଯ୍ୟନ୍ତ ବିଶ୍ୱସନୀୟ ପ୍ରମାଣ ପ୍ରଦାନ କରିନାହିଁ। ଭାରତରେ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟ ସମ୍ପର୍କରେ ଜାଖାରୋଭା କହିଛନ୍ତି ଯେ ଭାରତର ଜାତୀୟ ଚରିତ୍ର ଓ ଇତିହାସ ବିଷୟରେ ଆମେରିକା ଅଜ୍ଞ। ଭାରତର ଧାର୍ମିକ ସ୍ୱାଧୀନତାକୁ ନେଇ ଆମେରିକା ଭିତ୍ତିହୀନ ଅଭିଯୋଗ କରୁଛି। ଜାଖାରୋଭା ଏହାକୁ ଭାରତ ପ୍ରତି ଅପମାନଜନକ ବୋଲି କହିଛନ୍ତି। ଆମେରିକାର ଅଭିଯୋଗ ପଛର ଉଦ୍ଦେଶ୍ୟ ହେଉଛି ଭାରତର ଆଭ୍ୟନ୍ତରୀଣ ରାଜନୈତିକ ପରିସ୍ଥିତିକୁ ଅସନ୍ତୁଳିତ କରିବା ଏବଂ ସାଧାରଣ ନିର୍ବାଚନକୁ ଜଟିଳ କରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (ୟୁଏସ୍‌ସିଆଇଆର୍‌ଏଫ୍‌) ତା’ର ସଦ୍ୟତମ ରିପୋର୍ଟରେ ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତକୁ ସମାଲୋଚନା କରିଛି। ଧର୍ମ ଓ ବିଶ୍ୱାସର ସ୍ୱାଧୀନତା ଅଧିକାରର ଘୋର ଉଲ୍ଲଂଘନ ପାଇଁ ଭାରତ ଓ ଅନ୍ୟ ୧୬ଟି ରାଷ୍ଟ୍ରକୁ ବିଶେଷ ଚିନ୍ତାଜନକ ଦେଶ ଭାବେ ମନୋନୀତ କରିବାକୁ ଏଥିରେ ଆହ୍ୱାନ ଦିଆଯାଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର କଡ଼ା ଜବାବ ଦେଇ ଏହି ରିପୋର୍ଟକୁ ପକ୍ଷପାତପୂର୍ଣ୍ଣ ବୋଲି କହିଛି ଏବଂ ୟୁଏସ୍‌ସିଆଇଆର୍‌ଏଫ୍‌ ଏହାର ବାର୍ଷିକ ରିପୋର୍ଟର ଏକ ଅଂଶ ଭାବରେ ଭାରତବିରୋଧୀ ପ୍ରଚାର ଜାରି ରଖିଛି ବୋଲି କହିଛି। ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ଆମେରିକା କରିଥିବା ଅଭିଯୋଗକୁ ମଧ୍ୟ ରୁଷୀୟ ଅଧିକାରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆମ ପାଖରେ ଥିବା ସୂଚନା ଅନୁଯାୟୀ, ପନ୍ନୁ ହତ୍ୟା ଷଡ଼୍‌ଯନ୍ତ୍ରରେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ନେଇ ୱାସିଂଟନ ଏପର୍ଯ୍ୟନ୍ତ କୌଣସି ବିଶ୍ୱସନୀୟ ପ୍ରମାଣ ପ୍ରଦାନ କରିନାହିଁ। ପ୍ରମାଣ ଅଭାବରୁ ଏହି ପ୍ରସଙ୍ଗରେ କଳ୍ପନାଜଳ୍ପନା ଗ୍ରହଣୀୟ ନୁହେଁ ବୋଲି ଜାଖାରୋଭା କହିଛନ୍ତି।

 

Breaking News