ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଏବରେଲି ଲୋକସଭା ଆସନରେ ଏଥର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥିରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କଠାରୁ ଶୋଚନୀୟ ପରାଜୟ ବରଣ କରିଥିଲେ। ଦ୍ବିତୀୟ ଆସନ କେରଳର ୱାୟନାଡ଼ରୁ ଜିତିବାରୁ ରାହୁଲଙ୍କ ସାଂସଦ ପଦ ବଜାୟ ରହିଥିଲା। ଏଥର ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇ ତାଙ୍କ ଆସନ ରାଏବରେଲିରୁ ରାହୁଲଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ତେଣୁ ଦଳର, ସୋନିଆ ଗାନ୍ଧୀଙ୍କର, ତାଙ୍କର ଓ ତାଙ୍କ ପାଇଁ ନିରନ୍ତର ପ୍ରଚାର କରୁଥିବା ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ମାନ ରକ୍ଷା ପାଇଁ ରାଏବରେଲିରୁ ଜିତିବା ରାହୁଲଙ୍କ ପାଇଁ ଅପରିହାର୍ଯ୍ୟ। ରାଏବରେଲି ଆସନରେ ଶକ୍ତିଶାଳୀ ବିଜେପିକୁ କଂଗ୍ରେସ ଦଳ କୌଣସି ପ୍ରକାର ସୁଯୋଗ ଦେବାକୁ ଚାହୁନାହିଁ। ଏହି ଆସନକୁ ବଜାୟ ରଖିବା ପାଇଁ କଂଗ୍ରେସ ନିଜର ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀ ଆଗାମୀ ଦିନରେ ରାୟବରେଲିରେ ନିଜ ପୁଅ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସୋନିଆ ଗାନ୍ଧୀ ନିଜର ସ୍ବାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ଧରି ନିର୍ବାଚନ ପ୍ରଚାରରୁ ଦୂରେଇ ରହିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବାକୁ ସେ ରାଏବରେଲି ଯାଇପାରନ୍ତି ବୋଲି ସୂଚନା ମିଳିଛି। ରାଏବରେଲି ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ସୋନିଆ ଉପସ୍ଥିତ ଥିଲେ। ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ରାୟବରେଲି ଓ ଆମେଥି ଲୋକସଭା ଆସନ ପାଇଁ ମତଦାନ ହେବ। ଗତ ନିର୍ବାଚନରେ ସୋନିଆ ଗାନ୍ଧୀ ରାୟବରେଲି ଲୋକସଭା ଆସନରୁ ବିଜୟୀ ହୋଇଥିଲେ ମଧ୍ୟ ବିଜୟର ବ୍ୟବଧାନ ବହୁମାତ୍ରାରେ ହ୍ରାସ ପାଇଥିଲା।






More Stories
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..