ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ୍ ଆଦମୀ ପାର୍ଟି ସାଂସଦ ସ୍ବାତୀ ମାଲିୱାଲ ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହାୟକ ବିଭବ କୁମାରଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଆଣି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କହିଛନ୍ତି। ଏହା ପୂର୍ବରୁ ଏ ନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିଲା। ସାଂସଦ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା, ଏକାଧିକ ଥର ଆଘାତ କରାଯାଇଥିଲା, ଏପରିକି “ଶରୀରର ସମ୍ବେଦନଶୀଳ ଅଙ୍ଗ” ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣର ସବିଶେଷ ତଥ୍ୟରେ ଦର୍ଶାଯାଇଛି ଯେ କୁମାର ତାଙ୍କୁ ଚାପୁଡ଼ା ମାରିବା, ପିଟିବା, ବାଡିରେ ପିଟିବା ଏବଂ ପେଟରେ ଆଘାତ କରିବା ଭଳି କାଣ୍ଡ କରିଥିଲେ। ୩୯ ବର୍ଷୀୟା ରାଜ୍ୟସଭା ସାଂସଦ ଦାବି କରିଛନ୍ତି ଯେ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ଆକ୍ରମଣ ହୋଇଥିଲା। ସୋମବାର ମାଲିୱାଲ ଅଭିଯୋଗ କରିଥିଲେ ଯେ କୁମାର ତାଙ୍କୁ ଆକ୍ରମଣ କରିଥିଲେ। ଆଜି ତାଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ କୁମାରଙ୍କ ବିରୋଧରେ ଜଣେ ମହିଳାଙ୍କୁ ଅସମ୍ମାନ କରିବା ଏବଂ ଆଘାତ ଦେବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ କରିଛି। ଅତିରିକ୍ତ କମିସନର ଅଫ୍ ପୁଲିସ୍ (ଏସିପି)ଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ମାଲିୱାଲଙ୍କ ବାସଭବନ ପରିଦର୍ଶନ କରିଥିଲେ।ଅନୁସନ୍ଧାନକାରୀ ଦଳ ପ୍ରାୟ ଚାରି ଘଣ୍ଟା ଧରି ରାଜ୍ୟସଭା ସାଂସଦଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..