ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ବର ସବୁଠାରୁ ବୟସ୍କ ମହାକାଶଚାରୀ ହୋଇଛନ୍ତି ୯୦ ବର୍ଷୀୟ ଏଡୱାର୍ଡ ଡ୍ବାଇଟ୍। ଆଉ ମଧ୍ୟ ଜଣେ କୃଷ୍ଣକାୟ ଭାବେ ଡ୍ବାଇଟ୍ ପ୍ରଥମ କରି ମହାକାଶ ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜେସ୍ଙ୍କ ମହାକାଶ ସଂସ୍ଥା ବ୍ଲୁ ଅରିଜିନ ପକ୍ଷରୁ ପ୍ରେରିତ ମହାକାଶ ଯାନ ଏନଏସ୍-୨୫ରେ ଡ୍ବାଇଟ୍ ମହାକାଶକୁ ଯାତ୍ରା କରିଛନ୍ତି। ଏହି ମାନବଧାରୀ ମହାକାଶ ଯାନରେ ଯାତ୍ରା କରିଥିବା ୬ଜଣ ମହାକାଶଚାରୀଙ୍କ ମଧ୍ୟରୁ ଅନ୍ୟତମ ମହାକାଶଚାରୀ ହେଉଛନ୍ତି ଡ୍ବାଇଟ୍। ଏହି ମହାକାଶଯାନରେ ଭାରତୀୟ ମହାକାଶଚାରୀ ଗୋପୀଚାନ୍ଦ ଥୋଟାକୁରା ମଧ୍ୟ ରହିଛନ୍ତି। ରବିବାର ଭାରତୀୟ ସମୟ ସନ୍ଧ୍ୟା ୭ଟା ୪୩ରେ ଏହି ମହାକାଶଯାନ ଏହାର ଯାତ୍ରା ଆରମ୍ଭ କରିଛି। ରାକେଶ ଶର୍ମାଙ୍କ ପରେ ଗୋପୀଚାନ୍ଦ ଦ୍ବିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଛନ୍ତି। ତେବେ ଗୋପୀଚାନ୍ଦ ଦେଶର ପ୍ରଥମ ମହାକାଶ ପର୍ଯ୍ୟଟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ମହାକାଶ ଯାନରେ ଯାତ୍ରା କରିଥିବା ଅନ୍ୟ ମହାକାଶଚାରୀମାନେ ହେଲେ ମାସନ ଆଞ୍ଜେଲ, ସିଲଭେନ ଚିରୋନ, କେନେଥ ଏଲ ହେସ୍ ଓ କାର୍ଲୋ ସାଚଲେର। ବୟସ୍କ ମହାକାଶଚାରୀ ଡ୍ବାଇଟ୍ ୧୯୬୧ରେ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ନେଇଥିଲେ। ମାତ୍ର ଜଣେ କୃଷ୍ଣକାୟ ହୋଇଥିବାରୁ ତାଙ୍କୁ ମହାକାଶ ଯାତ୍ରା କରିବାର ସୁଯୋଗ ମିଳିପାରି ନଥିଲା। ଦୀର୍ଘ ୬୩ବର୍ଷର ଅପେକ୍ଷା ପରେ ତାଙ୍କୁ ମହାକାଶ ଯାତ୍ରା କରିବାର ସୁଯୋଗ ମିଳିଛି। ୧୯୬୧ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ଦ୍ବାରା ବାୟୁସେନାର ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ନାସା ଆଷ୍ଟ୍ରୋନାଣ୍ଟ କ୍ରପ୍’ ପାଇଁ ଡ୍ବାଇଟ୍ ମନୋନୀତ ହୋଇଥିଲେ। ପ୍ରଶିକ୍ଷଣ ପରେ ଡ୍ବାଇଟ୍ ଜଣେ ପ୍ରମୁଖ ପାଇଲଟ୍ ବିବେଚିତ ହୋଇଥିଲେ। ମାତ୍ର ନାସା ପକ୍ଷରୁ ହୋଇଥିବା ବିଭିନ୍ନ ମହାକାଶ ଅଭିଯାନ ନିମନ୍ତେ ତାଙ୍କୁ ମନୋନୟନ କରାଯାଇ ନଥିଲା। ୧୯୬୬ରେ ସେ ବର୍ଣ୍ଣବୈଷ୍ଣମ ଆକ୍ଷେପ କରିବା ପୂର୍ବକ ଅବସର ନେଇଥିଲେ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..