ରିପୋର୍ଟ କାର୍ଡ / ବରଗଡ଼
ବରଗଡ଼ ସଦରଥାନା ଅନ୍ତର୍ଗତ ସରସରା ଗାଁ’ରେ ଅଟୋ ଚାଳକ ବିଶ୍ୱନାଥ ମିର୍ଦ୍ଧା (୩୫)ଙ୍କ ହତ୍ୟା ମାମଲାରେ ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଅଭିଯୁକ୍ତମାନେ ନିଶାସକ୍ତ ଥିଲେ। ଅଟୋ ପାର୍କିଂ ତଥା ସାଇଡ୍ ଦେବାକୁ ନେଇ ଉଚ୍ଚବାଚରୁ ଉତ୍ତ୍ୟକ୍ତ ହୋଇ ବିଶ୍ବନାଥଙ୍କୁ ଆକ୍ରମଣ କରିଥିବା ଏସ୍ପି କହିଛନ୍ତି। ଏହି ମାମଲାରେ ପୋଲିସ ମନୋଜ ଓରଫ ଦୁର୍ବାଦଳ ନାଗ (୩୦)କୁ ଗିରଫ କରିଛି। ତେବେ, ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଏବେ ବି ଫେରାର୍ ଥିବାବେଳେ ତାକୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଶୁକ୍ରବାର ଦିନ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ପୋଲିସର ସୂଚନାନୁସାରେ, ମତଦାନ ଦିନ ବିଶ୍ୱନାଥ ଅଟୋ ଧରି ସରସରା ଗାଁ’ ଶନି ମନ୍ଦିର ନିକଟରେ ଛିଡ଼ା ହୋଇଥିଲେ। ଏହିସମୟରେ ଅପରପଟୁ ଆଉ ଏକ ଅଟୋ (ଓଡି ୧୭ଜେ-୯୪୯୪) ଆସିଥିଲା। ତା’ପଛକୁ ଏକ ବାଇକ୍ରେ ଆସି ଅଶୋକ ମହାନନ୍ଦ ସାଇଡ୍ ଦେବାକୁ ବଡ଼ପାଟିରେ କହିଥିଲା। ଫଳରେ, ଏହାକୁ ନେଇ ବିଶ୍ୱନାଥଙ୍କ ସହ ତା’ର ଉଚ୍ଚବାଚ ହୋଇଥିଲା। ଏହିସମୟରେ ଅଶୋକର ସାଙ୍ଗ ମନୋଜ ସେଠାରେ ପହଞ୍ଚିବା ପରେ ଉଭୟେ ମିଶି ଛୁରି ଓ ଭୁଜାଲିରେ ବିଶ୍ବନାଥଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ବିଶ୍ବନାଥଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ବିଶ୍ୱନାଥଙ୍କ ଭାଇ ଦିବାକର ମିର୍ଦ୍ଧାଙ୍କ ଅଭିଯୋଗ ପରେ ସଦର ଥାନାରେ କେସ୍ ନଂ. ୨୫୨/୨୪, ଆଇପିସିର ଦଫା ୩୦୨, ୩୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ମାମଲାରେ ଏ ପର୍ଯ୍ୟନ୍ତ ଦୁଇଜଣଙ୍କ ସଂପୃକ୍ତି ଥିବାବେଳେ ଜଣେ ଗିରଫ ହୋଇଥିବା ଓ ଅନ୍ୟ ଜଣେ ଫେରାର୍ ଥିବା ଏସ୍ପି ସୂଚନା କହିଛନ୍ତି। ଅନ୍ୟପକ୍ଷରେ, ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାର ତଦନ୍ତ ପାଇଁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଦାୟିତ୍ବ ଦେଇଥିଲେ। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ତାଙ୍କ ତଦନ୍ତ ରିପୋର୍ଟରେ ଅଭିଯୁକ୍ତମାନେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ଦର୍ଶାଇଛନ୍ତି। ଏହି ଘଟଣାରେ ସଦର ଥାନାଧିକାରୀ ମାନସ ଭୋଇ ଏବଂ ଅବକାରୀ ଷ୍ଟେସନ ଅଧିକାରୀ ସିଦ୍ଧାର୍ଥ ପାତ୍ରଙ୍କୁ ୨୪ ଘଣ୍ଟା ଭିତରେ ଜିଲ୍ଲା ବାହାରକୁ ବଦଳି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପୋଲିସ ଡିଜି ଓ ଅବକାରୀ ଆୟୁକ୍ତଙ୍କୁ ପତ୍ର ଲେଖିଛନ୍ତି।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..