Report Card Odisha

| Daily Odia News

ରଣଜିତ ସିଂହ ହତ୍ୟା ମାମଲା: ୪ଜଣ ନିର୍ଦ୍ଦୋଷରେ ଖଲାସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୦୨ରେ ଡେରା ସଚ୍ଚା ସୌଦା ସଂଗଠନର ପୂର୍ବ ପରିଚାଳକ ରଣଜିତ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସମେତ ୪ଜଣଙ୍କୁ ସିବିଆଇ ଗିରଫ କରିଥିଲା। ଆଜି ପଞ୍ଜାବ-ହରିୟାଣା ହାଇକୋର୍ଟ ଉକ୍ତ ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏନେଇ ରାମ ରହିମଙ୍କ ଓକିଲ ଜିତେନ୍ଦ୍ର ଖୁରାନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୦ ଜୁଲାଇ ୨୦୦୨ରେ କୁରୁକ୍ଷେତ୍ର ନିକଟ କୋଲିଆଁ ଗାଁରେ ରଣଜିତ ସିଂହଙ୍କୁ ହତ୍ୟା ହୋଇଥିଲା। ରାମ ରହିମଙ୍କ ଯୌନ କେଳେଙ୍କାରୀ ପ୍ରସଙ୍ଗରେ ପ୍ରସାରିତ ଚିଠି ପଛରେ ରଣଜିତ ସିଂହଙ୍କ ହାତ ରହିଥିବା ସନ୍ଦେହ କରାଯାଇ ହତ୍ୟା କରାଯାଇଥିବା ଆଶଙ୍କା କରାଯାଇଥିଲା । ଏହି ମାମଲାରେ ଅକ୍ଟୋବର ୨୦୨୧ରେ ହରିଆଣା ପଞ୍ଚକୁଲା ସିବିଆଇ କୋର୍ଟ ରାମ ରହିମଙ୍କ ସମେତ ୪ଜଣ ଅବତାର ସିଂହ, ଯଶବୀର ସିଂହ, ସବଦିଲ୍‌ ସିଂହ ଓ କ୍ରିଷ୍ଣ ଲାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କୋର୍ଟଙ୍କ ଏହି ଦଣ୍ଡାଦେଶ ବିରୋଧରେ ସେମାନେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲରେ ପୂର୍ବରୁ ସମସ୍ତ ପକ୍ଷରୁ ଯୁକ୍ତି ଉପସ୍ଥାପିତ ହୋଇସାରିଥିଲା। ହାଇକୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ। ଆଜି ବିଚାରପତି ସୁରେଶ୍ବର ଠାକୁର ଓ ଳଲିତ ବାତ୍ରାଙ୍କୁ ନେଇ ଗଡିତ ଡିଭିଜନ୍ ଖଣ୍ଡପୀଠ ଏହାର ରାୟ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ନିଜର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ହରିଆଣା ରୋହତକର ସୁନାରିଆ ଜେଲ୍‌ରେ ସଂପ୍ରତି ବନ୍ଦୀ ଅଛନ୍ତି।

Breaking News