Report Card Odisha

| Daily Odia News

ଆଜି ସରୁଛି ପ୍ରଚାର,ଓଡିଶା ଆସୁଛନ୍ତି ରାହୁଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁନ ୧ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ୫ଟାରେ ସରିବ ପ୍ରଚାର। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବାଲେଶ୍ବରର ସିମୁଳିଆ ସାନମଇତପୁରଠାରେ ରାହୁଲ ଜନସାଧାରଣଙ୍କୁ ସମ୍ବୋଧିତ କରିବା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲ ପୂର୍ବାହ୍ଣ ୧୦.୩୦ମି.ବେଳେ ନୂଆଦିଲ୍ଲୀରୁ ବିମାନରେ ଆସି ଭୁବନଶ୍ବେର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ହେଲିକପ୍ଟର ଦ୍ବାରା ସିଧା ସିମୁଳିଆସ୍ଥିତ ସାନମଇତପୁରଠାରେ ପହଞ୍ଚିବେ। ପୂର୍ବାହ୍ଣ ୧୧.୧୫ମିନିଟରୁ ୧୨.୩୦ମି. ପର୍ଯ୍ୟନ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ରାହୁଲ। ପରବର୍ତ୍ତୀ ସମୟରେ ସେ ହେଲିକପ୍ଟର ଦ୍ବାରା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସି ସ୍ବତନ୍ତ୍ର ବିମାନ ଦ୍ବାରା ଚଣ୍ଡୀଗଡ ଯିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଉତ୍ସାହିତ ଅଛି କଂଗ୍ରେସ କ୍ୟାମ୍ପ । ଗତକାଲି ଭଦ୍ରକ ଓ ବାଲେଶ୍ୱରରେ ବିଶାଳ ରାଲି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାରେ ମାରାଥନ ପ୍ରଚାର କରିବା ସହ ନିଜ ପ୍ରଚାର ଅଭିଯାନକୁ ଶେଷ ସ୍ପର୍ଶ ଦେଇଥିଲେ। ମୋଦି ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ।ଗତକାଲି ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ନିମାପଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Breaking News