ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରର ଜିରିବାମ୍ ଜିଲ୍ଲା ଅଶାନ୍ତ ହୋଇପଡ଼ିଛି। କେତେକ ଦୁର୍ବୃତ୍ତ ଏହି ଅଞ୍ଚଳରେ ଥିବା ଏକାଧିକ ଥାନା ଉପରେ ଆକ୍ରମଣ କରିବା ସହ କେତେକ ଘର ଜାଳି ଦେଇଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବାରକ୍ ନଦୀ ଦେଇ ଡଙ୍ଗା ଯୋଗେ ବହୁସଂଖ୍ୟକ ଦୁର୍ବୃତ୍ତ ଆସି ପ୍ରଥମେ ଛୋଟବେକରା ଅଞ୍ଚଳରେ ଥିବା ଥାନା ଉପରେ ଆକ୍ରମଣ କରିଥିଲେ। ସେମାନେ ଥାନାରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ଗାଁକୁ ଯାଇ ଘର ଜାଳିବା ସହ ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଲାମତାଇ ଖୁନାଉ ଓ ମୋଧୁପୁର ଥାନା ଉପରେ ଆକ୍ରମଣ କରିଥିଲେ। ସୂଚାନଥାଉ କି ଜିରିବାମ୍ ଜିଲା ଇମ୍ଫାଲ ଠାରୁ ୨୨୦ କିଲୋମିଟର ଦୂରରେ ଥିବା ବେଳେ ଏହାର ସୀମା ଆସାମକୁ ଲାଗିଛି। ଏହି ଅଞ୍ଚଳରେ ବହୁସଂଖ୍ୟକ କୁକି ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ସୂଚନାଥାଉ କି ଜିରିବାମ ସହର ନିକଟରେ ଜଣେ ୫୯ବର୍ଷୀୟ ବ୍ୟକ୍ତିଙ୍କୁ କୁକି ସମ୍ପ୍ରଦାୟର ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ସେଠାକାର ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ସେହି ଅଞ୍ଚଳରେ ରହୁଥିବା ମୈତେଇ ସମ୍ପ୍ରଦାୟର ୨୫୦ଜଣ ବ୍ୟକ୍ତିଙ୍କୁ ଆସାମ ରାଇଫଲ୍ସ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ଜିରିବାମର ପରିସ୍ଥିତି ଶାନ୍ତ ହେବା ପରେ ମୈତେଇ ସମ୍ପ୍ରଦାୟର ଲୋକେ ନିଜ ବାସସ୍ଥାନକୁ ଫେରିବେ ବୋଲି ଆସାମ ରାଇଫଲ୍ସ ତରଫରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଣିପୁର ପୋଲିସ ଯବାନଙ୍କୁ ଜିରିବାମ୍ ପଠାଯାଇଥିବା ଜଣାପଡ଼ିଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….