Report Card Odisha

| Daily Odia News

ସିକିମରେ ଗଲାଣି ୬ ଜୀବନ,ଫସିଛନ୍ତି ୧୫ଶହ ପର୍ଯ୍ୟଟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବଳ ବର୍ଷା ଯୋଗୁ ସିକିମରେ ପରିସ୍ଥିତି ଅସମ୍ଭାଳ ହେଲାଣି। ଏଥିଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ଶହ ପର୍ଯ୍ୟଟକ ସେଠାରେ ଫସି ରହିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେବି ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ସିକିମର ପାହାଡ଼ିଆ ଅଞ୍ଚଳରୁ ବର୍ଷା ପାଣି ପ୍ରଖର ସ୍ରୋତରେ ତଳକୁ ଖସୁଥିବାରୁ ଏହାର ପ୍ରଖରତା ଖୁବ୍‌ ଅଧିକ ରହିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ରାଜ୍ୟରୁ ସିକିମକୁ ବୁଲି ଯାଇଥିବା ପ୍ରାୟ ୧୫ଶହରୁ ଅଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପଦକ୍ଷେପ ନିଆଯାଉଥିବା ସିକିମ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଯୋଗୁ ବହୁ ସ୍ଥାନରେ ରାସ୍ତା ଓ ପୋଲ ଧୋଇ ହୋଇ ଯାତାୟତ ବନ୍ଦ ହୋଇ ଯାଇଛି। କେବଳ ସେତିକି ନୁହେଁ, ଏଥିଯୋଗୁ ବିଜୁଳି ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ମୋବାଇଲ ନେଟୱର୍କ ବି କାମ କରୁନି। ସବୁ ବର୍ଷ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ପ୍ରବଳ କ୍ଷତି ହୋଇଥାଏ। ଏଥିଯୋଗୁ ବହୁ ଘର, ରାସ୍ତା, ପୋଲ ଆଦି ଧୋଇ ହୋଇ ଯାଇଥାଏ। ଏପରିକି ଭୁସ୍ଖଳନ ହେବାର ଆଶଙ୍କା ବି ରହିଛି। ଗତ ବର୍ଷ ଏପରି ସ୍ଥିତି ଉପୁଜି ଏକ ଡ୍ୟାମ୍‌ ବନ୍ଧ ଭାଙ୍ଗି ଯାଇଥିଲା, ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏବେ ହେଉଥିବା ଭୀଷଣ ବର୍ଷାଯୋଗୁ ଭୁସ୍ଖଳନ ଆଶଙ୍କା ଥିବାରୁ ସାଟେଲେଇଟ୍‌ ଜରିଆରେ ବହୁ ଜଳ ଭଣ୍ଡାର ଉପରେ ନଜର ରଖାଯାଇଛି। କାରଣ ସେଥିରେ ପାଣି ଫୁଲ୍‌ ହେଲେ ତାହା ଖୁବ୍‌ ପ୍ରର ସ୍ରୋତରେ ତଳକୁ ବୋହିଥାଏ। ଏପରି ସମୟରେ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବେ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ସେ ଯାଇଛନ୍ତି। ମାତ୍ର ରାଜ୍ୟରେ ହେଉଥିବା ପ୍ରବଳ ବର୍ଷା ସମ୍ପର୍କରେ ସୂଚନା ପାଇ ସେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ପୀଡ଼ିତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୂତି ଦେଇଛନ୍ତି।

Breaking News