Report Card Odisha

| Daily Odia News

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା,ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି….

ରିପୋର୍ଟ କାର୍ଡ / ପୁରୀ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି। ଭୋର୍ ୫ଟାରୁ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଦୁର୍ଲଭ ହାତୀ ବେଶରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ୯ ଟାରେ ସ୍ନାନ ମଣ୍ଡପରେ ପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯିବ। ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳବିଜେ, ଜଳପୂଜା ଏବଂ ଜଳଲାଗି କରାଯିବ। ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ଦାରୁବ୍ରହ୍ମ। ଏହାପରେ ନୂଆ ଲୁଗା ପିନ୍ଧାଯାଇ ବେଶ କରାଯିବ। ଅପରାହ୍ଣ ୩ଟାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ସ୍ନାନ ମଣ୍ଡପରେ ଛେରା ପହଁରା କରିବେ। ୩ ଟା ୪୦ରେ ଶ୍ରୀଜୀଉଙ୍କୁ ଆକର୍ଷଣୀୟ ଗଜାନନ ବେଶ କରାଯିବ। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। ସ୍ନାନ ମଣ୍ଡପ ଉପରେ ପ୍ରଭୁଙ୍କ ସକାଳ ଧୂପ ଓ ଦକ୍ଷିଣୀଘର ଭୋଗ ଅନୁଷ୍ଠିତ ହେବ। ରାତି ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରାଯିବ। ରାତି ୧୧ଟା ୩୦ରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୨ଟାରେ ଶେଷ ହେବ। ଫେରିବା ବେଳେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାଚିତା ଓ ରାହୁରେଖା ବାହାର କରାଯିବ। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମେତ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏବଂ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମନ୍ଦିର ଭିତରେ ରହି ଠାକୁରଙ୍କ ନିତିକାନ୍ତି ପରିଚାଳନା ତଦାରଖ କରୁଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ସମେତ ଗହଳି, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୬୮ ପ୍ଲାଟୁନ ଫୋର୍ସ ଏବଂ ୪୩୭ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ବ୍ୟାରିକେଡ୍‌ ଭିତର ଦେଇ ଯିବେ। ସିଂହଦ୍ବାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ ଏବଂ ଦର୍ଶନ ପରେ ଉତ୍ତର ଦ୍ବାର, ଦକ୍ଷିଣ ଦ୍ୱାର ଏବଂ ପଶ୍ଚିମ ଦ୍ବାର ଦେଇ ପ୍ରସ୍ଥାନ କରିବେ। ସ୍ନାନ ମଣ୍ଡପ ସମ୍ମୁଖ ତଳେ ଛିଡ଼ାହୋଇ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବେ। ସ୍ନାନ ମଣ୍ଡପ ଉପରକୁ ଯିବାପାଇଁ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ। ତେବେ ଶ୍ରୀଜୀଉଙ୍କ ପହଣ୍ଡି ଦର୍ଶନ ପାଇଁ ଟିକଟ କିଣିଥିବା ବ୍ୟକ୍ତିଙ୍କ ପାଇଁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଏବଂ କୋଣାର୍କରୁ ଆସୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ପାଇଁ କୌଣସି କଟକଣା ଜାରି କରାଯାଇ ନାହିଁ। ହାଲୁକା ଗାଡ଼ିଗୁଡ଼ିକ ଶ୍ରୀଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ, ଜେଲ୍ ରୋଡ଼ ପାର୍କିଂ, ନୀଳାଚଳ ଅଶୋକ, ବ୍ଲୁ ଫ୍ଲାଗ୍‌ ବେଳାଭୂମି, ଯାତ୍ରିକା ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Breaking News