Report Card Odisha

| Daily Odia News

କୌଣସି ଶକ୍ତି ଭାରତର ସମ୍ବିଧାନକୁ ସ୍ପର୍ଶ କରିପାରିବ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ବିରୋଧୀ ମେଣ୍ଟ ଇଣ୍ଡିଆ କେବେ ହେଲେ ଗ୍ରହଣ କରିବ ନାହିଁ। କୌଣସି ଶକ୍ତି ଭାରତର ସମ୍ବିଧାନକୁ ସ୍ପର୍ଶ କରିପାରିବ ନାହିଁ। ଏହାକୁ ଆମେ ସୁରକ୍ଷା ଯୋଗାଇ ଦେବୁ ବୋଲି ରାହୁଲ କହିଛନ୍ତି। ୧୮ତମ ଲୋକସଭା ଅଧିବେଶ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରୋଟେମ ବାଚସ୍ପତି ନିଯୁକ୍ତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିଜେପି ପକ୍ଷରୁ ୭ଥରର ସାଂସ ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତ କରାଯାଇଛି। ନିୟମ ଅନୁସାରେ ଗୃହର ସବୁଠାରୁ ବରିଷ୍ଠ ନେତାଙ୍କୁ ପ୍ରୋଟାମ ସ୍ପିକର କରାଯାଏ। ସେହି ଅନୁସାରେ ୮ଥର ଲୋକସଭା ନିର୍ବାଚନ ଜିତିଥିବା କଂଗ୍ରେସ କେ ସୁରେଶ ପ୍ରୋଟେମ ସ୍ପିକର ହେବା କଥା। ହେଲେ ବିଜେପି ଭର୍ତ୍ତୃହରିଙ୍କୁ ପ୍ରୋଟେମ ସ୍ପିକର କରିଥିବାରୁ ଏହାକୁ ବିରୋଧୀ ବିରୋଧ କରିଛନ୍ତି। ସମ୍ବିଧାନକୁ ଅଣଦେଖା କରି ବିଜେପି ଏପରି କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ସଂସଦ ପରିସରରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ରାହୁଲ ଗାନ୍ଧି ମଧ୍ୟ ସାମିଲ ହୋଇଥିଲେ। ଏହାପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ସମ୍ବିଧାନ ଉପରେ ଯେଉଁ ଆକ୍ରମଣ କରୁଛନ୍ତି, ତା’ହା ଆମକୁ ଗ୍ରହଣୀୟ ନୁହେଁ। ଏପରି ହେବାକୁ ଆମେ ଦେବୁ ନାହିଁ। ଏଥିପାଇଁ ଆମେ ଶପଥ ନେବା ବେଳେ ସମ୍ବିଧାନକୁ ଧରି ଥାଉ। ଆମ ବାର୍ତ୍ତା ଚାରିଆଡ଼େ ଲୋକଙ୍କ ପାଖରେ ପହଞ୍ଚିଛି। ଭାରତର ସମ୍ବିଧାନକୁ କୌଣସି ଶକ୍ତି ସ୍ପର୍ଶ କରିପାରିବେ ନାହିଁ।” ଏଥିସହ ରାହୁଲ ଗାନ୍ଧି ନିଜ ପାଖରେ ରଖିଥିବା ସମ୍ବିଧାନକୁ ସମସ୍ତଙ୍କୁ ଦେଖାଇଥିଲେ। ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଜି ସଂସଦ କମ୍ପ୍ଲେକ୍ସରେ ଏକାଠି ହୋଇ ନିଜର ଶକ୍ତିପ୍ରଦର୍ଶନ କରିଥିଲେ। ସେମାନେ ହାତର ସମ୍ବିଧାନ ଧରିଥିଲେ ଓ ଗଣତନ୍ତ୍ରର ସୁରକ୍ଷା ନାରା ଦେଇଥିଲେ।

Breaking News