ରିପୋର୍ଟ କାର୍ଡ / ଭୁବନେଶ୍ୱର
ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପୁରୀରେ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ସହଯୋଗୀ ଆକ୍ରମଣ କରିଥିଲେ। ଏହି ଘଟଣା ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ଏବଂ କଂଗ୍ରେସ। ବିଜେଡି ପକ୍ଷରୁ ବରିଷ୍ଠ ନେତା ପ୍ରତାପ ଦେବ ଘଟଣାକୁ ନିନ୍ଦା କରିବା ସହିତ ଏ ନେଇ ଅଭିଯୋଗ ହୋଇଥିଲେ ବି ସରକାର ନୀରବ ରହିବା ସନ୍ଦେହଜନକ ବୋଲି କହିଛନ୍ତି। ଅନ୍ୟପଟେ କଂଗ୍ରେସ ଏହି ପ୍ରସଙ୍ଗ ବିରୋଧରେ ରାସ୍ତାକୁ ଓହ୍ଲାଇଛି। ପୀଡ଼ିତଙ୍କୁ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରତାପ ଦେବ କହିଛନ୍ତି, ଗତ ୭ ତାରିଖ ରାତିରୁ ଏହି ଘଟଣା ଘଟିଲାଣି। ପୀଡ଼ିତ ଅଧିକାରୀ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଏପରି ଦାଦାଗିରିକୁ ସେ ନିନ୍ଦା କରିବା ସହିତ ସରକାର ଉଚିତ ପଦକ୍ଷେପ ନେଇ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି ବୋଲି ପ୍ରତାପ କହିଛନ୍ତି। ସେହିପରି ଶତାଧିକ କଂଗ୍ରେସ କର୍ମକର୍ତ୍ତା ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରି ଘଟଣାର ପ୍ରତିବାଦ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଦାବି କରିଛି।





More Stories
ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢ଼ଛି…..
ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……