ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଏବେ ଆଉ ରାଜା ଶାସନ ଚାଲିନି। ମୁଖ୍ୟମନ୍ତ୍ରୀ ବି ରାଜା ନୁହନ୍ତି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ସେବକ । ସେ ରାଜା ପରି ଆଚରଣ କରିବା ଉଚିତ ନୁହେଁ।’ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଭର୍ତ୍ସନା କରି ଏପରି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାଜ୍ୟର ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟର ନିର୍ଦ୍ଦେଶକ ପଦରେ ବନ ବିଭାଗର ବରିଷ୍ଠ ରାହୁଲଙ୍କୁ ବସାଇଥିଲେ। ରାହୁଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ତାଙ୍କୁ ଏହି ପଦରେ ବସାଇଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ଧାମିଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ବନ ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବ ବି ବିରୋଧ କରିଥିଲେ। ଏପରିକି ବରିଷ୍ଠ ଅଧିକାରୀଙ୍କ ବୈଠକରେ ବି ଏହି ନିଯୁକ୍ତିକୁ ବିରୋଧ କରାଯାଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଧାମି ସମସ୍ତଙ୍କ ଉପଦେଶକୁ ବେଖାତିର କରି ରାହୁଲଙ୍କୁ ଉକ୍ତ ପଦରେ ବସାଇଥିଲେ। ଏହାକୁ ନେଇ ତୀବ୍ର ବିରୋଧ ହେବାରୁ ଗତ ୩ ତାରିଖରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ଏହି ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଧାମିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ବିଚାରପତି। ଏନେଇ ଶୁଣାଣି କରି ବେଞ୍ଚ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଉକ୍ତ ଅଧିକାରୀଙ୍କ ପ୍ରତି ଖୁବ୍ ଦୁର୍ବଳତା ରହିଛି। ନଚେତ ଜଣେ ଅନୁଶାସନହୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ତାଙ୍କୁ ଏପରି ଉଚ୍ଚ ପଦରେ ବସାଇବା କୌଣସି ପ୍ରକାରେ ଯୁକ୍ତିଯୁକ୍ତ ନୁହେଁ। ବେଞ୍ଚ କହିଛନ୍ତି, ଯଦି ଆପଣ ଏକ ପ୍ରସ୍ତାବ ନେଇ ବରିଷ୍ଠ ଅଧିକାରୀ, ଉପସଚିବ, ପ୍ରମୁଖ ସଚିବ, ମନ୍ତ୍ରୀଙ୍କ ସହ ଆପଣଙ୍କ ମତାମତ ମେଳ ଖାଉନି ତେବେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଉଚିତ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ନିଜ ଯୁକ୍ତି ରଖି କହିଥିଲେ, ରାହୁଲ ଜଣେ ଦକ୍ଷ ଅଧିକାରୀ । ମାତ୍ର ତାଙ୍କୁ କିଛି କୁଚକ୍ରୀ ଟାର୍ଗେଟ କରୁଛନ୍ତି। କିନ୍ତୁ ଆମେ ତାଙ୍କ ବଳି ଚଢ଼ାଇ ପାରିବୁନି । ଏହାର ପ୍ରତ୍ୟୁତ୍ତରରେ ବିଚାରପତି ପଚାରିଥିଲେ, ଯଦି ସମ୍ପୃକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର କ୍ଲିନ୍ ଚିଟ୍ ଦେଇଛନ୍ତି ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ଚାଲୁଛି ।
More Stories
ଶୁକ୍ର ପ୍ରଦକ୍ଷିଣ ଅଭିଯାନକୁ କ୍ୟାବିନେଟ ମଞ୍ଜୁରୀ…..
ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ସାତ ଗ୍ୟାରେଣ୍ଟି…..
ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ଜାମିନ…..