Report Card Odisha

| Daily Odia News

ବନ୍ଦ ହୋଇଯିବ ୧୫୦ ବର୍ଷର ପୁରୁଣା ଟ୍ରାମ୍‌ ବ୍ୟବସ୍ଥା….

Kolkata, West Bengal, India - March 11, 2018 : The heritage of Kolkata, trams waiting for passengers at a tram station in Kolkata, India

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ରାଜଧାନୀ କଲକାତା ସହରର ରାସ୍ତାରୁ ୧୫୦ ବର୍ଷ ପୁରୁଣା ଟ୍ରାମ୍‌ ବ୍ୟବସ୍ଥାକୁ ବନ୍ଦ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଏସ୍‌ପ୍ଲାନେଡ-ମଇଦାନ ରୁଟ୍‌ରେ ଏହି ସେବା ଉପଲବ୍ଧ ହେବ ବୋଲି କୁହାଯାଇଛି। ସାଂପ୍ରତିକ ସମୟରେ ଲୋକେ ତ୍ବରିତ ବେଗରେ ଯାତାୟାତ ବ୍ୟବସ୍ଥାକୁ ଅଧିକ ପସନ୍ଦ କରୁଛନ୍ତିି। ଟ୍ରାମ୍‌ଗୁଡିକ ଅତ୍ୟନ୍ତ ଧିମାବେଗରେ ଯାଉଥିବାରୁ ଏହା ଅନେକ ସମୟରେ ରାସ୍ତା ଜାମ୍‌ କରୁଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ସ୍ନେହାଶିଷ ଚକ୍ରବର୍ତ୍ତୀ କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏତାଦୃଶ ନିଷ୍ପତ୍ତିକୁ କେତେକ ଗୋଷ୍ଠୀ ନାପସନ୍ଦ କରିଛନ୍ତି। ୧୫୦ ବର୍ଷର ଏହି ଐତିହାସିକ ଗମନା ଗମନ ବ୍ୟବସ୍ଥାକୁ ହଟାଇବା ଯୁକ୍ତିସଙ୍ଗତ ନୁହେଁ ବୋଲି ସେମାନେ କହିଛନ୍ତି। କଲକାତାର ପ୍ରତ୍ୟେକ କୋଣ ଅନୁକୋଣରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥାଏ। ରାସ୍ତାଗୁଡିକର ଅବସ୍ଥାରେ ଉନ୍ନତି ଘଟୁନଥିବାବେଳେ ବାଇପାସ୍‌ରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ତେଣୁ ଏଥିପାଇଁ ଟ୍ରାମ୍‌ ବ୍ୟବସ୍ଥାକୁ ଦାୟୀ କରିବା ଅନୁଚିତ ବୋଲି କେତେକ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଆଉ କେତେକ କହିଛନ୍ତି ଯେ ଟ୍ରାମ୍‌ରେ ଯାତାୟାତ କଲେ ଭଡା ଅପେକ୍ଷାକୃତ କମ ପଡିଥାଏ ଏବଂ ଏହା ପରିବେଶ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ। ବର୍ତ୍ତମାନ ସମୟରେ ସହରର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଲୋକେ ଏବେ ମଧ୍ୟ ଟ୍ରାମ୍‌ ଉପରେ ଅଧିକ ନିର୍ଭର କରୁଛନ୍ତି। ଦେଶର ଏକମାତ୍ର ସହରଭାବେ କଲକାତାରେ ଟ୍ରାମ୍‌ ସେବା ଚାଲିଥିବା ଏକ ଐତିହାସିକ ଘଟଣା ଏବଂ ଏହାକୁ ଉଚ୍ଛେଦ କରିବା ଅନୁଚିତ ବୋଲି ‘କଲକାତା ଟ୍ରାମ୍‌ ୟୁଜର୍ସ ଆସୋସିଏସନ’ ପକ୍ଷରୁ କୁହାଯାଇଛି।

Breaking News