ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ କମିସନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏକ ଚିଠି ଲେଖି କଂଗ୍ରେସ ନେତାଙ୍କ ହରିୟାଣା ଫଳାଫଳ ଟିପ୍ପଣୀର କଡ଼ା ଜବାବ ଦେଇଛି। କଂଗ୍ରେସ ନେତା ପୱନ ଖେଡ଼ା ଓ ଜୟରାମ ରମେଶ ହରିୟାଣା ନିର୍ବାଚନ ଫଳକୁ ଅଗ୍ରହଣୀୟ କହିଛନ୍ତି। ସେମାନେ ଇଭିଏମ୍ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ନିର୍ବାଚନ ଫଳ ଆସିବାପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀ କରି ଇଭିଏମ୍ ଜାଲିଆତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ଇସି ଖଡ଼ଗେଙ୍କୁ ଏନେଇ ଏକ କଡ଼ା ଚିଠି ଲେଖି କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ଭିତ୍ତିହୀନ ଟିପ୍ପଣୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶୁଣିବାକୁ ମିଳେନାହିଁ। ଏହା ଖୋଲା ମତବ୍ୟକ୍ତ କରିବାର ଆଇନଗତ ଅଧିକାର ଠାରୁ ବହୁତ ଦୂରରେ। ଇସି କହିଛନ୍ତି, ଜୟରାମ ରମେଶ ଏବଂ ପୱନ ଖେଡ଼ାଙ୍କ ଟିପ୍ପଣୀ ନିର୍ବାଚନ ପ୍ରକ୍ରିୟାରେ ଲୋକମାନେ ପ୍ରକାଶ କରିଥିବା ସେମାନଙ୍କ ଇଚ୍ଛାର ଏକ ଅଗଣତାନ୍ତ୍ରିକ ପ୍ରତ୍ୟାଖ୍ୟାନ। ସ୍ବଚ୍ଛ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିଭ୍ରାନ୍ତିକର ଦର୍ଶାଇବାକୁ ଏଭଳି ପ୍ରୟାସ ଅଭୂତପୂର୍ବ ବୋଲି ନିର୍ବାଚନ କମିସନ କହିଛନ୍ତି। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ଜୟରାମ ରମେଶ, ପୱନ ଖେଡ଼ା ଏବଂ ଅଜୟ ମାକେନଙ୍କ ସମେତ ବରିଷ୍ଠ ନେତାମାନଙ୍କର ଏକ ପ୍ରତିନିଧି ଦଳ ଦିଲ୍ଲୀ ସ୍ଥିତ ନିର୍ବାଚନ କମିସନ ଅଫିସରେ ପହଞ୍ଚି ହରିୟାଣା ବିଧାନସଭା ନିର୍ବାଚନ ଫଳ ନେଇ ଚିନ୍ତା ପ୍ରକଟ କରିଛନ୍ତି। ୨୦ଟି ଆସନର ଇଭିଏମ୍କୁ ସିଲ୍ କରି ରଖାଯିବାକୁ କଂଗ୍ରେସ ନେତାମାନେ ଦାବି କରିଛନ୍ତି। ବିଭିନ୍ନ ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣତି ପ୍ରକ୍ରିୟାକୁ ନେଇ ଅନେକ କଂଗ୍ରେସ ନେତା ସନ୍ଦେହ ପ୍ରକଟ କରିଥିବା ବେଳେ ନିର୍ବାଚନ କମିସନ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..