ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପ୍ଡେଟ୍ ଆସିଛି । ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି ଆବେଦନର ଶେଷ ତାରିଖ। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହା ସହ ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରବିବାର ମଧ୍ୟାହ୍ନରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଯାଇ ଏହି ଟଙ୍କା ବଣ୍ଟନର ଶୁଭାରମ୍ଭ କରିଥିଲେ। ୨୦ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିଲା । ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ୨ ଲକ୍ଷ ୬୭ ହଜାର ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ବ୍ଲକରେ ପହଞ୍ଚିଛି। ବ୍ଲକରେ ଏ ନେଇ ସମୀକ୍ଷା ସରିଛି। ପ୍ରାୟ ୨୫ ପ୍ରତିଶତ ସଂଶୋଧନ ହୋଇଯାଇଛି। ବାକି ଜମି ସମସ୍ୟା ଯୋଗୁ ଯେଉଁମାନଙ୍କ ନାମ ତାଲିକାରେ ନାହିଁ, ତାଙ୍କ ନାଁରେ ଜମି ନାହିଁ। କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ସରଜମିନ ଯାଞ୍ଚ କରାଯିବ । ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ। ଆଉ ୫ ଲକ୍ଷଙ୍କର କିଛି କିଛି ଅସୁବିଧା ରହିଛି, ତାହା ସମାଧାନ ହୋଇନାହିଁ। ସେମାନେ ଆଜି ଟଙ୍କା ପାଇବେ ନାହିଁ । ସେମାନଙ୍କର ଆକାଉଣ୍ଟ ସହ ଆଧାର ଲିଙ୍କରେ ସମସ୍ୟା ରହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସବୁ ସଂଶୋଧନ ହେବା ପରେ ସେମାନେ ସାମିଲ ହୋଇପାରିବେ। ଏହାର ସମାଧାନ ହେବା ପରେ ବାଦ୍ ତାଲିକାରେ ଥିବା ଆଉ ୫ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ଡିସେମ୍ବରରେ ଅର୍ଥ ରାଶି ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସରକାରୀ ଅଧିକାରୀ ଘରକୁ ଘର ଯିବେ। ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେନି। ସମସ୍ତ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଭାତୀ କହିଥିଲେ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……