ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨ ଦିନରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ଏକ ଟ୍ରପ ଲାଇନ୍ ମଧ୍ୟ ସକ୍ରିୟ ହୋଇପାରେ। ଫଳରେ ୨୭ ତାରିଖରୁ ୩୦ ତାରିଖ ଯାଏଁ ୪ଦିନ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଏଥିସହ ୨୯ରୁ ଜୁନ୍ ୧ ଯାଏ ପ୍ରବଳ ବର୍ଷା ସହ ୫୦ କି.ମି. ବେଗରେ ପବନ ବହିପାରେ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି। ଏହା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ। ସୂଚନାନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିବାବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଲାଗିରହିବ। ମଙ୍ଗଳବାର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳବର୍ତ୍ତୀ ୧୧ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ହେଲା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..