ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ରାଜନୈତିକ ମହଲରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। କାରଣ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ ନେଇ ସଙ୍କେତ ଦେଉଛି ବୋଲି ଅନୁମାନ କରାଯାଉଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି। ବଡ଼କଥା ହେଉଛି ଯେ, ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ। ତାଙ୍କର ଏହି ବାରମ୍ବାର ଦିଲ୍ଲୀ ଗସ୍ତ ଏବେ ରାଜ୍ୟ ରାଜନୀତିରେ ନୂଆ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ସାମଲ ଦିଲ୍ଲୀରେ କେନ୍ଦ୍ରୀୟ ଭାଜପା ନେତୃତ୍ୱଙ୍କୁ ଭେଟି ରାଜ୍ୟ କମିଟି, ବୋର୍ଡ ନିଗମ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଏହାପୂର୍ବରୁ ସେ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିବା ଏବଂ ୧୮ ଜଣ ଏମପିଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ଅନ୍ୟପଟେ, ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ହୋଇଥାଇପାରେ ବୋଲି ଏହାକୁ ନେଇ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ, ନବୀନ ଦିଲ୍ଲୀରେ ବିଜେଡି ଏମପିଙ୍କ ସହ ଆଲୋଚନା କରିପାରନ୍ତି, ଯେଉଁଥିରେ ଉପରାଷ୍ଟ୍ରପତି ର୍ନିବାଚନ ସମ୍ପର୍କିତ ରଣନୀତି ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଉପରାଷ୍ଟ୍ରପତି ର୍ନିବାଚନକୁ ନେଇ ଏନଡିଏ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ତୀବ୍ର ରାଜନୈତିକ ଗତିବିଧି ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଏବଂ ନବୀନ ପଟ୍ଟନାୟକଙ୍କ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..