Report Card Odisha

| Daily Odia News

ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି କରାଯାଇଛି। ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଯଥା ସମ୍ଭବ ସକାଳ ସମୟରେ କ୍ଲାସ କରିବା ସହ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅପରାହ୍ନରେ ଛାତ୍ରଛାତ୍ରୀମାନେ ଖେଳକୁଦ ନ କରିବା ପାଇଁ କୁହାଯାଇଛି। ପ୍ରତ୍ୟେକ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, କମନ ରୁମ୍, ହଷ୍ଟେଲ ଓ ପରୀକ୍ଷାକେନ୍ଦ୍ର ମାନଙ୍କରେ ପାନୀୟ ଜଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ଓଆରଏସ (ORS- Oral Rehydration Salt) ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଲେଜ ଏବଂ ପରୀକ୍ଷା କେନ୍ଦ୍ରମାନଙ୍କରେ ଫାଷ୍ଟଏଡ଼ କିଟ୍ ରଖିବା ସହ ଆଶୁ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ ସମ୍ବନ୍ଧରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟର ରେଜିଷ୍ଟାରମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ କଲେଜରେ କ୍ଲାସ କରିବା ପାଇଁ ଘରୁ ବାହାରିଲାବେଳେ ଯେପରି ନିଜ ସହ ପାଣି ବୋତଲ ନେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ଅଭିଭାବକମାନଙ୍କୁ ଉପଦେଶ ଦିଆଯାଇଛି।

Breaking News