Report Card Odisha

| Daily Odia News

ସାବଧାନ ସଡ଼କ ନିୟମ ଉଲ୍ଲଙ୍ଘନକାରୀ,୨୧ ରୁ ସ୍ୱତନ୍ତ୍ର ଅଭିଯାନ…..

ରିପୋର୍ଟ କାର୍ଡ/ ଭୁବନେଶ୍ୱର

ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ପକ୍ଷରୁ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଅଭିଯାନ ଚାଲିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଏବଂ ଅତିରିକ୍ତ ଆର୍‌ଟିଓଙ୍କୁ ଏସଂକ୍ରାନ୍ତରେ ନିର୍ଦେଶ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ। ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ। ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ସଚେତନତା ସହିତ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି। ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍‌ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏହି ଯାଞ୍ଚ କରାଯିବ। ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟ୍, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ଦୁଇ ଚକିଆରେ ଦୁଇଜଣରୁ ଅଧିକ ଯିବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଡ଼ାକଡ଼ି ଯାଞ୍ଚ କରାଯିବ। ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀଯାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯିବ। ଏହି ଅଭିଯାନକୁ ପ୍ରଭାବଶାଳୀ କରିବା ପାଇଁ ପରିବହନ ବିଭାଗ ଦ୍ୱାରା ଜିଲା ପ୍ରଶାସନ ଓ ପୁଲିସ ସହଭାଗିତାରେ ଯାଞ୍ଚ କରାଯିବ।
ଏହି ସମୟ ମଧ୍ୟରେ ବିଭିନ୍ନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ। ହେଲମେଟ୍, ସିଟ୍‌ବେଲ୍ଟ ସଚେତନତା, ଦ୍ରୁତଗତିର ଭୟାବହତା ଆଦି ସମ୍ପର୍କରେ ସଡ଼କ ବ୍ୟବହାରକାରୀଙ୍କୁ ବୁଝାଯିବ। ସେହିଭଳି ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଚାଳକ ଓ ଯାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ, ଗାଡ଼ି ମାଲିକ ସଂଘ ଓ ପରିବହନ ୟୁନିଅନ ସହିତ ଆଲୋଚନା ଏବଂ ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହେବ। ସଡ଼କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ ‘ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ’ ଗୁରୁତ୍ୱକୁ ବୁଝାଇବା ଉପରେ ପ୍ରାଥମିକତା ଦିଆଯାଇଛି।

Breaking News