ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଓ ଘୋଡ଼ା ବେପାର ଭୟରେ କଂଗ୍ରେସ ତା’ର ବିଧାୟକମାନଙ୍କୁ ଓଡ଼ିଶା ବାହାରକୁ ସ୍ଥାନାନ୍ତର କରିଛି। ଗୁରୁବାର ପୂର୍ବାହ୍ଣରେ ଭୁବନେଶ୍ବରରେ ନିର୍ବାଚନ ପୂର୍ବରୁ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରିଥିଲେ ସୁଦ୍ଧା ଘୋଡ଼ା ବେପାର ଆଶଙ୍କାରେ ଭୟଭୀତ ହୋଇ କଂଗ୍ରେସ ବିଧାୟକଗଣ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି। ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାର ହାଇଦ୍ରାବାଦକୁ ଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବିଧାୟକମାନେ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶ୍ରୀକୁମାର କଂଗ୍ରେସ ବିଧାୟକଙ୍କ ରହଣୀ ବ୍ୟବସ୍ଥା କରିଥିବା ଜଣାପଡିଛି। କର୍ଣ୍ଣାଟକରେ କଂଗ୍ରେସ ସରକାର କ୍ଷମତାସୀନ ଥିବାରୁ ସେଠାରେ ଦଳୀୟ ବିଧାୟକ ସୁରକ୍ଷିତ ରହିବେ ବୋଲି କଂଗ୍ରେସ ଶୀର୍ଷ ନେତୃତ୍ବ ଆଶା କରୁଛନ୍ତି। ବେଙ୍ଗାଲୁରୁ ଯାତ୍ରା କରିଥିବା କଂଗ୍ରେସ ବିଧାୟକ ଏବଂ ନେତାଙ୍କ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ୧୧ଜଣ ବିଧାୟକ ଅଛନ୍ତି। ସେମାନେ ହେଲେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକଗଣ ଅଶୋକ ଦାସ, ସି.ଏସ.ରାଜନ ଏକ୍କା, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା, ପ୍ରଫୁଲ ପ୍ରଧାନ, ସତ୍ୟଜିତ ଗମାଙ୍ଗେ, କାଡାକା ଆପାଲା ସ୍ବାମୀ, ତାରା ପ୍ରସାଦ ବାହିନୀପତି, ସାଗର ଦାସ ଏବଂ ନୀଳମାଧବ ହିକାକା। ତେବେ ବିମାନ ଟିକଟ ହୋଇଥିଲେ ସୁଦ୍ଧା ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ବିମାନ ବନ୍ଦରରେ ବିଧାୟକ ଦାସରଥି ଗମାଙ୍ଗ, ରମେଶ ଜେନା ପହଞ୍ଚି ପାରି ନଥିଲେ। କିନ୍ତୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ବେଙ୍ଗାଲୁରୁ ଡ଼କାଯାଇ ନଥିବା ଜଣାପଡିଛି।






More Stories
ଅଗ୍ନିଶମ ବିଭାଗରେ ନିଯୁକ୍ତି ହେବେ ମହିଳା…..
ପ୍ରବେଶ ଉତ୍ସବ-ଖଡ଼ିଛୁଆଁ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନିର୍ଦ୍ଦେଶ…..
ଆଜି ସିଇସିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ନୋଟିସ…..