Report Card Odisha

| Daily Odia News

ସୋମନାଥ ସ୍ବାଭିମାନ ଯାତ୍ରା-୨୦୨୬ର ଶୁଭାରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ସୋମନାଥ ସ୍ବାଭିମାନ ଯାତ୍ରା-୨୦୨୬ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରିଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ବାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ– ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଏକ ବ୍ୟାପକ ଗଣ-ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବିରାସତ ଭି’ର ମନ୍ତ୍ର ଆଜି ସୋମନାଥଠାରେ ଅତ୍ୟାଧୁନିକ ଭବ୍ୟ ପ୍ରଦର୍ଶନୀଶାଳା, ସଂଗ୍ରହାଳୟ, ସମୁଦ୍ର ଦର୍ଶନ ପଥ ଏବଂ ପ୍ରସାଦ ଯୋଜନା ଜରିଆରେ ବିଶ୍ୱସ୍ତରୀୟ ଯାତ୍ରୀ ଭିତ୍ତିଭୂମିର ବିକାଶ ଜରିଆରେ ପ୍ରମାଣିତ ହୋଇଛି। ଓଡ଼ିଶା ଏବଂ ସୋମନାଥ ମଧ୍ୟରେ ଏକ ଅତୁଟ ଆଧ୍ୟାତ୍ମିକ ସେତୁ ସ୍ଥାପନ କରିବା ପାଇଁ ଏକାମ୍ର କ୍ଷେତ୍ରର ବିନ୍ଦୁସାଗରର ପବିତ୍ର ଜଳ ଏବଂ ପ୍ରାଚୀନ ଶୈବ ପରମ୍ପରାର ଜୀବନ୍ତ ପ୍ରତୀକ କେଦାରଗୌରୀ ମନ୍ଦିରର ପବିତ୍ର ମାଟି ଏହି ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ପ୍ରଭୁ ସୋମନାଥଙ୍କ ଚରଣରେ ଅର୍ପଣ ପାଇଁ ପଠାଯାଉଛି। ସୋମନାଥ ପୀଠରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ସହ ଭବ୍ୟ ଆଳତି, ରୁଦ୍ରାଭିଷେକ, ଅଖଣ୍ଡ ଓଁକାର ଜପ ଏବଂ ମନ୍ଦିରର ସ୍ବର୍ଣ୍ଣିମ ଇତିହାସକୁ ଜୀବନ୍ତ କରୁଥିବା ଆଧୁନିକ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ର ଏକ ଦିବ୍ୟ ଅନୁଭୂତିର ସାକ୍ଷୀ ହେବେ। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Breaking News