ରିପୋର୍ଟ କାର୍ଡ / ଭୁବନଶ୍ୱର
ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଏବଂ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଟି ମୁହୂର୍ତ୍ତରେ ସିଧାସଳଖ ନଜର ରଖିଥିବା ତାଙ୍କ ‘X’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ ବନ୍ୟା ପରିସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି)ଙ୍କ ସହ ଆଲୋଚନା କରିଛନ୍ତି। କେହି ହେଲେ ଆଦୌ ବିଚଳିତ କିମ୍ବା ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତିଟି ପଦକ୍ଷେପରେ ଲୋକମାନଙ୍କ ସହ ସରକାର ଠିଆହୋଇଛନ୍ତି। ପ୍ରଶାସନର ସୂଚନାକୁ ପାଳନକଲେ ସମସ୍ତେ ସୁରକ୍ଷିତ ରହିପାରିବେ। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତର ଓ ରିଲିଫ କାର୍ଯ୍ୟ ତଦାରଖ କରିବା ଲାଗି ୩ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଜଳସ୍ତର ଓ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଏସ୍ଆର୍ସି କାର୍ଯ୍ୟାଳୟ ଓ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪X୭ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା…..
ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ……
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ…..