ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ପେନ୍ ଓ ମରୋକ୍କୋ ସୀମାରେ ଏକ ଗମ୍ଭୀର ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ମରୋକ୍କୋର ହଜାର ହଜାର ନାଗରିକ ସମୁଦ୍ରରେ ପହଁରି ସ୍ପେନ୍ର ସେଉଟା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାର ଭୟାନକ ଓ ଆଶଙ୍କାଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଅନୁପ୍ରବେଶ ଉଦ୍ୟମ ସମୟରେ ପାଣିରେ ବୁଡ଼ିଯିବା ଓ ଦଳଚକଟା ହେତୁ ୩୪ଜଣଙ୍କର ମୃତ୍ୟୁ ହୋଇଛି। ମରୋକ୍କୋ ସୀମାରେ ଥିବା ପ୍ରତିବନ୍ଧକକୁ ଏଡ଼ାଇ ଦେଇ ଦଶହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ସେଉଟାରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି ଓ ସେଠାରେ ଉଦ୍ବେଗଜନକ ମାନବୀୟ ସଙ୍କଟ ଦେଖାଦେଇଛି। ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଯିବାରୁ ସ୍ପେନ୍ ସରକାର ସୀମା ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ସେନା ମୁତୟନ କରିଛନ୍ତି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏହି ବ୍ୟାପକ ଅନୁପ୍ରବେଶକୁ ସ୍ପେନ୍ର ଆଞ୍ଚଳିକ ଅଖଣ୍ଡତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସେଉଟା ମଧ୍ୟକୁ ପ୍ରାୟ ୬୦,୦୦୦ ମରୋକ୍କୋବାସୀ ଅନୁପ୍ରବେଶ କରିଛନ୍ତି। ସେଉଟାରେ ଜରୁରିକାଳୀନ ଆଶ୍ରୟସ୍ଥଳୀଗୁଡ଼ିକ ଲୋକାରଣ୍ୟ ହୋଇଯାଇଛି। ହଜାର ହଜାର ପ୍ରବାସୀ ରାସ୍ତାକଡ଼, ପାର୍କ ଓ ସମୁଦ୍ର କୂଳରେ ଖୋଲା ଆକାଶ ତଳେ ଶୋଉଛନ୍ତି। ମରୋକ୍କୋ ପକ୍ଷରୁ ସୀମାରେ ଲୁହବୁହା ଗ୍ୟାସ୍ ଓ ୱାଟର କାନନ୍ ବ୍ୟବହାର କରାଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଇଛି। ଏହି ଘଟଣା ପରେ ଫ୍ରାନ୍ସ ଓ ଇଟାଲୀ ଭଳି ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ନିଜ ନିଜ ସୀମା ସୁରକ୍ଷା କଡ଼ାକଡ଼ି କରିଛନ୍ତି। ମରୋକ୍କୋ ଓ ଆଖପାଖ ଆଫ୍ରିକୀୟ ଦେଶଗୁଡ଼ିକରେ ବେକାରୀ ଓ ଦାରିଦ୍ର୍ୟ ଯୋଗୁଁ ଯୁବପିଢ଼ି ୟୁରୋପରେ ରୋଜଗାର ଆଶାରେ ଏହି ବିପଜ୍ଜନକ ଅନୁପ୍ରବେଶ କରିବାକୁ ବାଧ୍ୟ ହୋଇଛନ୍ତି।






More Stories
ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ…..
ଶସ୍ତା ହେଲା ସିଲିଣ୍ଡର !…..
କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା…..