Report Card Odisha

| Daily Odia News

ନିଶାମୁକ୍ତ ଓଡ଼ିଶା ପାଇଁ ସଭିଙ୍କ ସହଯୋଗ ଲୋଡ଼ା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ ଦ୍ୱାରା ପରିଚାଳିତ, ‘ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମ୍ବୋଧିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ଅତିଥିମାନେ ଆଭାସି ମାଧ୍ୟମରେ ଶୁଣିଥିଲେ। ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଯୁବପିଢ଼ିକୁ ରାଷ୍ଟ୍ର ନିର୍ମାଣର ପ୍ରମୁଖ କର୍ଣ୍ଣଧାର ଭାବେ ଅଭିହିତ କରି ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ। କେବଳ ସରକାରଙ୍କ ଉଦ୍ୟମ ଦ୍ୱାରା ନିଶାମୁକ୍ତ ସମାଜ ସମ୍ଭବ ନୁହେଁ; ପିତାମାତା, ଶିକ୍ଷକ, ସାମାଜିକ ଅନୁଷ୍ଠାନ ଓ ବିଶେଷକରି ଯୁବପିଢ଼ି ନିଜେ ଏହି ଆନ୍ଦୋଳନର ବାର୍ତ୍ତାବହ ହୋଇ ବାହାରିଲେ ହିଁ ଏହା ଏକ ଯୁଗାନ୍ତକାରୀ ‘ଜନ ଆନ୍ଦୋଳନ’ରେ ପରିଣତ ହୋଇପାରିବ ବୋଲି କହିଥିଲେ। କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାର ଶ୍ରେଷ୍ଠ ବିକଳ୍ପ ଭାବେ ବାଛି ନେବାକୁ ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ। ଯୁବପିଢ଼ି ନିଶା ପରିବର୍ତ୍ତେ ଖେଳପଡ଼ିଆ ଓ ଶ୍ରେଣୀଗୃହକୁ ଆପଣେଇ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ ବୋଲି ସେ କହିଥିଲେ। ସମ୍ପ୍ରତି ଯୁବସମାଜ ବ୍ରାଉନସୁଗର, କୋକେନ୍, ସିନ୍ଥେଟିକ୍ ଓ ଇଞ୍ଜେକ୍ଟିଙ୍ଗ୍ ଡ୍ରଗ୍ସ ଭଳି ମାରାତ୍ମକ ନିଶା ଆଡ଼କୁ ଆକୃଷ୍ଟ ହେଉଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଯୁବ ସମାଜକୁ ନିଶା ବିଷ ଦେବାରୁ ନିବୃତ୍ତ ନ ରହିଲେ, ଅପରାଧୀମାନେ ବୁଲଡୋଜର୍‌ ଆକ୍ସନ୍ ଭଳି ଅତ୍ୟନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଥିଲେ। ଯୁବବର୍ଗଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ନିଶା ଆଜି କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇ ରହିନାହିଁ, ବରଂ ଏହା ମାନସିକ ଓ ଶାରୀରିକ ସାମର୍ଥ୍ୟ ହ୍ରାସ କରିବା ସହ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ଖାଲି ସେତିକି ନୁହେଁ, ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ବଡ଼ ପ୍ରତିବନ୍ଧକ ସାଜୁଛି। ଓଡ଼ିଶା ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଆଧାରରେ ନିଶାକୁ ଦମନ କରୁଛନ୍ତି। ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ପୁଲିସ ପ୍ରାୟ ୧,୯୧୧ କୋଟି ଟଙ୍କା ମୂଲ୍ୟର ୬୩,୭୨୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି। ଏହାସହ ୨,୫୭୬ଟି ମାମଲା ରୁଜୁ କରି ୩,୬୯୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ୨,୧୦୬କୋଟି ଟଙ୍କାର ୪୩୨ ଟନ୍ ଗଞ୍ଜେଇ ଜବତ କରିଛି। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ନିଶା ପୀଡ଼ିତଙ୍କ ପୁନରୁଦ୍ଧାର ଓ ପୁନର୍ବାସ ପାଇଁ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି। କୌଣସି ଅଞ୍ଚଳରେ ସନ୍ଦେହଜନକ ନିଶା କାରବାର ନଜରକୁ ଆସିଲେ, ତୁରନ୍ତ ପୁଲିସକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ଅଭିଯାନ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ୧୦୦ ସପ୍ତାହ ଅର୍ଥାତ୍‌ ଦୁଇ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନଆନ୍ଦୋଳନ ହେବ ବୋଲି କହିଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ ଯୁବଶକ୍ତିର ସାମର୍ଥ୍ୟ ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥି‌ଲେ। କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗ ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦେଶକ ୟେଦୁଲ୍ଲା ବିଜୟ ଧନ୍ୟବାଦ ଦେଇଥିଲେ।

Breaking News